ଓଡିଶାରେ ଚାଷ ହେଉଛି ଦୁର୍ଲଭ ‘କଳାଧାନ’ । କିଲୋ ପିଛା ୧୦୦ରୁ ୧୩୦ ଟଙ୍କା, ଚାଉଳରେ ଭରି ରହିଛି ବିଭିନ୍ନ ଔଷଧୀୟ ଗୁଣ

216

କନକ ବ୍ୟୁରୋ: ସାଧାରଣତଃ ସମୟରେ ଚାଷ ହୋଇଥିବା ଧାନର ରଙ୍ଗ ହଳଦିଆ ଏବଂ ଚାଉଳର ରଙ୍ଗ ଧଳା ହୋଇଥାଏ । କିନ୍ତୁ ଓଡିଶାର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଚାଷ ହେଉଛି କଳା ଧାନ । ସୂଚନା ମୁତାବକ ସମ୍ବଲପୁର ଯୁଯୁମୁରା ଅଞ୍ଚଳର ବିରସିଂହପଡାରେ ଚାଷ ହେଉଛି କଳାଧାନ । ପୁଣି ଧାନ ଗଛ ଠାରୁ ଆରମ୍ଭ ଚାଉଳ ମଧ୍ୟ କଳା ରଙ୍ଗର ଥିବାବେଳେ ଏହି ଚାଉଳରେ ଭରି ରହିଛି ଔଷଧିୟ ଗୁଣ । କିଲୋ ପ୍ରତି ବ୍ରିକ୍ରୀ ହେଉଛି ୧୦୦ରୁ ୧୩୦ ଟଙ୍କା ।

ସମ୍ବଲପୁର ଚେତନ ନାମକ ଜଣେ ଯୁବକ ଚାଷୀ ଯୁଯୁମୁରା ବିରସିଂହ ପଡାରେ ଥିବା ନିଜର ଫାର୍ମ ହାଉସରେ ୬ ଏକର ଜମିରେ ଏହି କଳା ଧାନ ଚାଷ କରିଛନ୍ତି । ମୁଖ୍ୟତଃ ଏହି କଳା ଧାନର ବିହନ ଓଡିଶାରେ ବିଲୁପ୍ତ ହେବାକୁଥିବାବେଳେ ଚେତନ ପାରମ୍ପାରିକ ପ୍ରଣାଳୀରେ ଚାଷ କରୁଛନ୍ତି । ଚେତନଙ୍କ କହିବା ମୁତାବକ ଜୁନ୍ ମାସ ଆରମ୍ଭରୁ ଧାନ ପହ୍ଳା ପକାଇବା ସହିତ ଶ୍ରୀ ପଦ୍ଧତିରେ (ଧାଡି) ଜମିରେ ଧାନ ଗଛକୁ ରୁହାଯାଇଥାଏ । ଗୋଟିଏ ଏକର ଜମିରେ ପାଖାପାଖି ପାଇଁ ୫ କେଜି ବିହନ ଆବଶ୍ୟକ ହୁଏ । ଗୋଟିଏ ଗଛ ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବଢିପାରେ । ଏହି ଧାନକୁ କଳାବତୀ ନାମରେ ସାଧାରଣରେ ଜଣାଯାଉଥିବା ବେଳେ ଓଡିଶାର ପାଖାପାଖି ଜଣେରୁ ଦୁଇ ଜଣ ଚାଷୀ ଏହାକୁ ଚାଷ କରନ୍ତି ବୋଲି ଜଣାପଡିଛି । ଧାନ ଅମଳ ହେଲା ପରେ ଏହାର ଚାଉଳ ଚାଷୀମାନେ ୧୦୦ରୁ ୧୩୦ ଟଙ୍କା କିଲୋପ୍ରତି ବିକ୍ରୀ କରନ୍ତି । ବର୍ତ୍ତମାନ ଚେତନଙ୍କର ୬ ଏକର ଚାଷ ଜମିର ଚାଉଳ ଲୋକମାନେ ଆଗୁଆ ଟଙ୍କା ଦେଇ ବୁକିଂ କରିଛନ୍ତି ବୋଲି ଚେତନ କହିଛନ୍ତି ।

ସବୁଠାରୁ ଗୁରୁତ୍ୱ ପୁର୍ଣ୍ଣ ଜିନିଷ ଏହି ଧାନ ଚାଷରେ କୌଣସି ଔଷଧ ପ୍ରୟୋଗ କରାଯାଉ ନଥିବା ବେଳେ ଚାଉଳରେ ଭରି ରହିଛି ଔଷଧୀୟ ଗୁଣ । ଏହି ଚାଉଳର ଭାତ ରକ୍ତ ସଫା କରିବା ସହିତ ଡାଇବେଟିସ୍ ରୋଗୀଙ୍କର ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ । ଏମିତିକି ବ୍ଲଡସୁଗାର ରୋଗୀ ଯଦି ୧ ବର୍ଷ ପର୍ଯ୍ୟନ୍ତ ଏହି ଚାଉଳର ଭାତ ଖାଆନ୍ତି ତେବେ ବ୍ଲଡ ସୁଗାର କମିବଯିବ ବୋଲି ଚେତନ ଚାଷୀ ଦାବି କରିଛନ୍ତି । ତେବେ ଓଡିଶାରେ ୬୦ରୁ ୭୦ ବର୍ଷ ପୂର୍ବେ ଏହି କଳାବତୀ ଧାନର ଚାହିଦା ବେଶ୍ ରହିଥିଲା । ହେଲେ ବର୍ତ୍ତମାନ ତାହା ହ୍ରାସ ହେବାରେ ଲାଗିଛି । କିନ୍ତୁ ବାହାର ରାଜ୍ୟମାନଙ୍କରେ ଏହାର ଚାହିଦା ଅଧିକ ରହିଥିବାବେଳେ ଅନ୍ଲାଇନରେ ଏହି ଚାଉଳର ଦାମ୍ ୫ଶହରୁ ୬ଶହ ଟଙ୍କା ଥିବା ଜଣାପଡିଛି ।