ଓଡିଶାରେ ମିଳିଲା କଳାଟଙ୍କାର ଠିକଣା : ଆୟକର ବିଭାଗ ସ୍କାନରରେ କଳାଧନର କୁବେର

23

କନକ ବ୍ୟୁରୋ : ଓଡ଼ିଶାରୁ ମିଳିଲା କଳାଧନ କୁବେରଙ୍କ ଠିକଣା । ବିମୁଦ୍ରାୟନ ପରେ ଓଡ଼ିଶାର ୧ ହଜାର ୯୨ ଜଣ ଜମାକାରୀ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ନିଜ ନିଜ ଆକାଉଂଟରେ ଜମା ରଖିଛନ୍ତି । ସେହିପରି ଓଡ଼ିଶାର ୩ହଜାର ୮୦ ଜଣ ଜମାକାରୀଙ୍କ ବ୍ୟାଙ୍କ ଜମା ଟଙ୍କା, ଘୋଷିତ ଆୟ ତୁଳନାରେ ଅସ୍ୱାଭାବିକ ଭାବରେ ଅଧିକ ଥିବା ନଜରକୁ ଆସିଛି । ଟଙ୍କା ଜମା ରଖିଥିବା ବ୍ୟକ୍ତିଙ୍କ ଉପରେ ରହିଛି ଆୟକର ବିଭାଗର ନଜର ।

ନଭେମ୍ବର ୮ ତାରିଖରେ ବିମୁଦ୍ରାୟନ ନିଷ୍ପତି ପରେ ଅନେକ କରଦାତା ନିଜ ବ୍ୟାଙ୍କ ଓ ପୋଷ୍ଟ ଅଫିସ ଆକାଉଂଟରେ ବିପୁଳ ପରିମାଣରେ ନଗଦ ଟଙ୍କା ଜମା ହୋଇଥିବା ଆୟକର ବିଭାଗ ସୂଚନା ଦେଇଛି । ଏହି ଜମାକାରୀଙ୍କ ଜମା ଟଙ୍କାର ଉତ୍ସ ଦିଗରେ ତଦନ୍ତ କରାଯାଉଥିବା ଆୟକର ବିଭାଗ କହିଛି । ଯଦି ଅଘୋଷିତ ଆୟରୁ ଏହି ଟଙ୍କା ଜମା ହୋଇଥିବାର ପ୍ରମାଣ ମିଳେ, ତାହେଲେ ଏହି ଜମାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏପରିକି ପ୍ରମାଣ ମିଳିଲେ ଜମାକାରୀଙ୍କ ଆୟର ୮୭.୨୫ ପ୍ରତିଶତ କର ସହିତ ଜୋରିମାନା ଦେବାକୁ ପଡ଼ିବ । ଏମାନଙ୍କ ବିରୁଦ୍ଧରେ ଆଘୋଷିତ ଆୟ ଥିବା କାରଣରୁ ଫୌଜଦାରୀ ମୋକଦ୍ଦମା ମଧ୍ୟ ରୁଜୁ ହେବ । ଖାନତଲାସି ହେଲେ କରଦାତାଙ୍କୁ ୧୦୭ ପ୍ରତିଶତ ପର୍ଯ୍ୟନ୍ତ କର ଏବଂ ଜୋରିମାନା ଦେବାକୁ ପଡ଼ିବ । ଏହି ଜମାକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ସାମିଲ ହୋଇ ଲାଭ ନେବା ପାଇଁ ପରାମର୍ଶ ଦେଇଛି ଓଡ଼ିଶା ଆୟକର ବିଭାଗ ।

ଏହି ଯୋଜନାରେ ନଗଦ ଅର୍ଥ ଓ ବ୍ୟାଙ୍କ ଅବା ପୋଷ୍ଟ ଅଫିସରେ ଜମା କରାଯାଇଥିବା ଅଘୋଷିତ ଆୟକୁ ଘୋଷଣା କରି, ସର୍ବମୋଟ୍ କେବଳ ୪୯.୯ ପ୍ରତିଶତ ହାରରେ ଟିକସ, ଅତିରିକ୍ତ ଟିକସ ଓ ଜୋରିମାନା ଦେଇ ଆୟକର ବିଭାଗର ଖାନତଲାସିରୁ ଜମାକାରୀମାନେ ରକ୍ଷା ପାଇପାରିବେ ।

ଯେ କୌଣସି ଅଧିକୃତ ବ୍ୟାଙ୍କରେ ସେମାନେ ଏହି ଟିକସ ଦାଖଲ କରିପାରିବେ । ଏହା ବ୍ୟତୀତ ଅଘୋଷିତ ଆୟର ୨୫ ପ୍ରତିଶତକୁ ରିଜର୍ଭ ବ୍ୟାଙ୍କର ଏକ ଜମା ଖାତା ପାଣ୍ଠିରେ ଜମା କରି ଗରିବ ମାନଙ୍କ କଲ୍ୟାଣ ପାଇଁ ବିନିଯୋଗ କରିବେ । ଯାହା ଚାରିବର୍ଷ ପରେ ସେମାନଙ୍କ ଆକାଉଂଟକୁ ଫେରି ଆସିବ ।