୨୦୧୫-୧୬ ଆର୍ଥିକ ବର୍ଷରେ ୫୬୨ କୋଟିର କଳାଟଙ୍କା ଠାବ !

17

୨୦୧୫-୧୬ ଆର୍ଥିକ ବର୍ଷରେ ଦେଶରେ ସନ୍ଦିଗ୍ଧ ଅର୍ଥ କାରବାର, ଜାଲ ନୋଟ୍‌ ଏବଂ ସୀମାପାର ପାଣ୍ଠି ସ୍ଥାନାନ୍ତରରଣ ଦୁଇ ଗୁଣ ବୃଦ୍ଧି ଘଟିଛି । ଫଳରେ ଦେଶରେ ୫୬୦ କୋଟିର କଳାଟଙ୍କା ଠାବ ହୋଇଛି । ଅର୍ଥ ମନ୍ତ୍ରାଳୟ ଅଧୀନ ଆର୍ଥିକ ଗୁଇନ୍ଦା ୟୁନିଟ ପକ୍ଷରୁ ଏହି ସୂଚନା ଦିଆଯାଇ ଛି। ୨୦୧୫-୧୬ ଆର୍ଥିକ ବର୍ଷରେ ସିବିଡିଟି ପକ୍ଷରୁ ୧୫୪.୮୯ କୋଟି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ୧୦୭.୪୭ କୋଟି ଏବଂ ଆର୍ଥିକ ଗୁଇନ୍ଦା ୟୁନିଟ ପକ୍ଷରୁ ୩୦୦ କୋଟି ଟଙ୍କା ଠାବ କରାଯାଇଛି । ଦେଶରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଯେଉଁ କଳା ଟଙ୍କା ଠାବ କରନ୍ତି ସେ ସମ୍ପର୍କରେ ଆର୍ଥିକ ଗୁଇନ୍ଦା ୟୁନିଟକୁ ଅବଗତ କରାଇଥାନ୍ତି ।

ଆଣ୍ଟି ମନି ଲଣ୍ଡରିଂ ଏବଂ ଆତଙ୍କବାଦ ନିରୋଧୀ ପାଣ୍ଠି ଯୋଗାଣ ଆଇନକୁ ପାଳନ କରିବା ଲାଗି ସେମାନେ ଏହା କରିଥାନ୍ତି । ସନ୍ଦିଗ୍ଧ କାରବାର ସମ୍ପର୍କରେ ରିପୋର୍ଟ ହୋଇଥିବା ରାଶି ୨୦୧୪-୧୫ରେ ୫୮,୬୪୬ ଟଙ୍କା ଥିବାବେଳେ ୨୦୧୫-୧୬ରେ ଏହା ୧,୦୫,୯୭୩ ଟଙ୍କାକୁ ବୃଦ୍ଧି ପାଇଛି । ଏହି ସମୟ ମଧ୍ୟରେ ସୀମାପାର ପାଣ୍ଠି ସ୍ଥାନାନ୍ତରଣ ସମ୍ପର୍କିତ ସୂଚନାରେ ୮୫୦ ପ୍ରତିଶତ ବୃଦ୍ଧି ଘଟିଛି । ମନି ଲଣ୍ଡରିଂ ପ୍ରତିରୋଧ ଆଇନ ଅଧୀନରେ ଆର୍ଥିକ ଗୁଇନ୍ଦା ୟୁନିଟ୍‌ ବିଭିନ୍ନ ଆଇନ ଉଲ୍ଲଂଘନକାରୀ ୨୧ଟି ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା ବିରୋଧରେ କଟକଣା ଲଗାଇଥିବା ଜଣାପଡ଼ିଛି ।