କଳାପତାକାକୁ ଡରିଗଲେ ମୋଦି । ରୋଡ ଶୋକୁ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ଭରସିଲେ ଆକାଶମାର୍ଗକୁ ।

38

ରାସ୍ତାରେ ନୁହେଁ ଆକାଶ ମାର୍ଗ ହେଲା ମୋଦିଙ୍କ ଭରସା । ତାମିଲନାଡୁରେ ମୋଦିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଭିନ୍ନ ଏକ ପରିସ୍ଥିତି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଅକଳରେ ପକାଇ ଦେଇଥିଲା । କାବେରୀ ବିବାଦ ସଂକ୍ରାନ୍ତରେ ଜବରଦସ୍ତ ବିରୋଧ ପ୍ରଦର୍ଶନ ମୋଦିଙ୍କୁ ରାସ୍ତାରେ ନଯାଇ ଚପର୍ ସହାୟତାରେ ଆକାଶ ମାର୍ଗରେ ଯିବାକୁ ବାଧ୍ୟ କରିଥିଲା । ଡିଫେନସ ଏକ୍ସପୋ ଉଦଘାଟନ ପାଇଁ ଆଜି ତାମିଲନାଡୁରେ ଗସ୍ତରେ ଅଛନ୍ତି ମୋଦି । ହେଲେ ବିରୋଧ ଆଉ ପ୍ରତିବାଦର ସ୍ୱାର ଦଚେଶର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତୀବ୍ର ହୋଇଥିଲା ।


ମୋଦିଙ୍କୁ ତାମିଲନାଡୁ ଏୟାରପୋର୍ଟରେ ଏକ ଭିନ୍ନ ଧରଣର ଭିଡ ଅପେକ୍ଷା କରିଥିଲା ସ୍ୱାଗତ କରିବାକୁ । ହାତରେ କଳା ପତାକା ଧରିବା ସହ କଳାପୋଷାକ ପରିଧାନ କରି ମୋଦିଙ୍କୁ ଅପେକ୍ଷା କରିଥିବା ଏହି ଭିଡ ଥିଲା କାବେରୀ ବିବାଦ ସଂକ୍ରାନ୍ତ ସ୍ଥିତିର ପ୍ରତିବାଦ କରିବା ପାଇଁ । ଯାହା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଆଉ ବଡ କଥା ହେଉଛି ସମସ୍ତେ ନାରା ଦେଇଥିଲା ଗୋ-ବ୍ୟାକ୍ ମୋଦି । ଆଉ କିଛି ସମୟ ଭିତରେ ସୋସିଆଲ ମିଡିଆରେ ଏହା ଟ୍ରେଣ୍ଡ ମଧ୍ୟ କରିଥିଲା । ଖାସ କରି ରୋଡ ଶୋ ମାଧ୍ୟମରେ ସବୁବେଳେ ନିଜ ଶକ୍ତି ଦେଖାଉଥିବା ମୋଦି ଆଜି ରାସ୍ତାରେ ନିଜ କାରକେଡରେ ଯିବାକୁ ସାହାସ କରିପାରିଲେ ନାହିଁ ।


ପୁରା ଘଟଣା ଥିଲା କିଛି ଏହିଭଳି । ନରେନ୍ଦ୍ର ମୋଦି ଆଜି ଚେନ୍ନାଇ ଗସ୍ତରେ ଥିଲେ ଡିଫେନସ ଏକ୍ସପୋ ଉଦଘାଟନ କରିବା ପାଇଁ । ହେଲେ ଚେନ୍ନାଇ ଉପକଣ୍ଠରେ ହେଉଥିବା ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୋଦି ବିମାନ ବନ୍ଦରରୁ ସିଧା ଚପର୍ ସାହାଯ୍ୟରେ ଉଦଘାଟନୀ ସ୍ଥଳକୁ ଯାଇଥିଲେ । ଆଉ ବଡ କଥା ହେଉଛି, ସେଠାରୁ ମୋଦି ଚପରରେ ଆଇଆଇଟି ମାଡ୍ରାସ କ୍ୟାମ୍ପସକୁ ଯିବେ, ଯାହା ନିକଟରେ ଥିବା ଅଦ୍ୟାର କ୍ୟାନସର ଇନଷ୍ଟିଚ୍ୟୁଟରେ ମୋଦି ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ।


କାବେରୀ ୱାଟର ମ୍ୟାନେଜମେଂଟ ଗଠନ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଲଗାତର ଭାବେ ଆନ୍ଦୋଳନ ହୋଇଆସୁଛି । ସଂସଦରେ ମଧ୍ୟ ଏହାର ତାତି ଦେଖିବାକୁ ମିଳିଥିଲା । ଆଉ ଆଜି ମୋଦିଙ୍କ ଗସ୍ତକୁ ମଧ୍ୟ ବିରୋଧ କରାଯାଇଥିଲା । ତେବେ ଦେଶର ପ୍ରଧାନମନ୍ତ୍ରୀ ପ୍ରସଙ୍ଗର ସମାଧାନ କରିବା ବଦଳରେ ବା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ଆକାଶମାର୍ଗରେ ଯାଇ ନିଜର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଆଜି ଚର୍ଚ୍ଚାର ବିଷୟ ପାଲଟିଛି ।