ମନ୍ତ୍ରୀଙ୍କ ଶନିଦଶା ! ପ୍ରଥମେ ଅଣ୍ଡା ମାଡ଼ ଏବେ କଳାପତାକା ଭୟ

16

କନକ ବ୍ୟୁରୋ : ବରଗଡ଼ରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଗାଡ଼ି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିବା ପରେ ଏବେ ବିଜେପି କର୍ମୀଙ୍କ ଟାର୍ଗେଟରେ ବିଜେଡି ମନ୍ତ୍ରୀ । ରାଜ୍ୟ ଭିତରେ ହେଉ କି ବାହାରେ ରାଜ୍ୟ ମନ୍ତ୍ରୀମାନଙ୍କୁ କଳାପତାକା ଦେଖାଇ ବିରୋଧ କରୁଛନ୍ତି ବିଜେପି କର୍ମୀ । କଂଗ୍ରେସ କର୍ମୀଙ୍କ ଅଣ୍ଡା ମାଡ଼ ପରେ ଏବେ କଳାପତାକା ଡର ଘାରିଛି ମନ୍ତ୍ରୀମାନଙ୍କୁ।

ସୋମବାର ବାଲେଶ୍ୱରରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେପି କର୍ମୀମାନେ କଳାପତାକା ଦେଖାଇଥିଲେ । ଏତିକିବେଳେ ବିଜେପି କର୍ମୀଙ୍କୁ ବିଜେଡି କର୍ମୀମାନେ ଆକ୍ରମଣ କରିଥିଲେ। ପରେ ପୋଲିସ୍ ୪ଜଣ ବିଜେଡି କର୍ମୀଙ୍କୁ ଗିରଫ କରିଛି। ଆଜି ମଧ୍ୟ ବିଜେପି କର୍ମୀମାନେ ଜଳେଶ୍ୱରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଳାପତାକା ଦେଖାଇଛନ୍ତି।

ପୂର୍ବରୁ ରାଜ୍ୟ ବାହାରେ ମୁମ୍ବାଇରେ ମଧ୍ୟ ମନ୍ତ୍ରୀ ଅଶୋକ ପଣ୍ଡା ଓ ଦେବୀପ୍ରସାଦ ମିଶ୍ରଙ୍କୁ ବିଜେପି କର୍ମୀମାନେ କଳାପତାକା ଦେଖାଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ଘଟଣାରେ ବିଜେପି ରାଜଭବନ ଆଗରେ ବିକ୍ଷୋଭ କରିଥିଲା। ଇଟାର ଜବାବ ପଥରରେ ନୁହେଁ, ନବୀନ ପଟ୍ଟନାୟକଙ୍କ ସରକାରକୁ ସକ୍ ଟ୍ରିଟମେଂଟ୍ ଦରକାର ବୋଲି ନେତାମାନେ କହିଥିଲେ।

କଂଗ୍ରେସ କର୍ମୀମାନେ ବିଜେଡି ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରି ପ୍ରତିବାଦ ଜଣାଇଥିଲେ। ସେହି ସ୍ଥାନରେ ଏବେ ବିଜେପି କର୍ମୀ ବାଛି ନେଇଛନ୍ତି କଳାପତାକା । କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଏଭଳି କଳାପତାକା ପ୍ରଦର୍ଶନ ଜାରି ରହିିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।