ଓଡ଼ିଶାର କୃଷ୍ଣସାର ମୃଗଙ୍କର କାହାଣୀ ! ଖୋଲା ଆକାଶ ତଳେ ଜନବସତିରେ ନିର୍ଭୟରେ ବୁଲୁଛନ୍ତି, ନା ଅଛି ଶିକାର ଭୟ ନା ସୁରକ୍ଷା ଚିନ୍ତା

57

କନକ ବ୍ୟୁରୋ : ଗୋଟିଏ ପଟେ କୃଷ୍ଣସାର ମୃଗ ଶିକାର କରି ସଲମାନ ଖାନ୍ ଜେଲ୍ ଯାଇଥିବା ବେଳେ ଅନ୍ୟପଟେ ଓଡିଶାରେ କୃଷ୍ଣସାର ମୃଗକୁ ନେଇ ଏକ ରୋଚକ କାହାଣୀ ରହିଛି । ଓଡିଶାର ଗଂଜାମ ଜିଲ୍ଲାରେ ଏହି ମୃଗ ବହୁ ପରିମାଣରେ ଦେଖିବାକୁ ମିଳୁଛି । ଏବଂ ଗୁରୁତ୍ୱପୂଣ୍ଣ କଥା ହେଲା ଏଠାରେ ସ୍ଥାନୀୟ ଲୋକ କୃଷ୍ଣସାର ମୃଗଙ୍କୁ ସୁରକ୍ଷା ଦିଅନ୍ତି ।

ଗାଁ ଗାଁରେ ଅବାଧରେ ବୁଲୁଛନ୍ତି ବିରଳ କୃଷ୍ଣସାର ମୃଗ । ନା ଅଛି ଖାଦ୍ୟର ଅଭାବ ନା ଶିକାରୀଙ୍କ ଭୟ । ଖୋଲା ଆକାଶ ତଳେ ଲୋକଙ୍କ ଭିତରେ ବେଶ୍ ଆରାମରେ ବିଚରଣ କରୁଛନ୍ତି ଏହି ବନ୍ୟପ୍ରାଣୀ । ଗଂଜାମ ଜିଲ୍ଲାର ଭେଟନଇ, ବାଲିପଦର ଓ ବୁଗୁଡା ଭଳି ଅଂଚଳରେ ହଜାର ହଜାର ସଂଖ୍ୟାରେ ଦେଖାଯାନ୍ତି କୃଷ୍ଣସାର ମୃଗ । ସ୍ଥାନୀୟ ଅଂଚଳରେ ଏମାନଙ୍କୁ ବାଲିହରିଣ ଏବଂ କଳା ବୌତିଆ ବି କୁହନ୍ତି ।

ଗାଁରେ ବିରି, ମୁଗ ଭଳି ଡାଲି ଡାଲିଜାତୀୟ ଫସଲ ଖାଇଯାଆନ୍ତି ଏହି ହରିଣ ମାନେ । ତଥାପି ଏମାନଙ୍କୁ କେହି କେବେ ହାନି ପହଁଚାନ୍ତି ନାହିଁ । ବରଂ ଖରାଦିନେ ପାଣି ପିଇବାକୁ ପୋଖରୀ ଖୋଳାଯାଇଛି । କୃଷ୍ଣସାର ମୃଗ ଆସିବା ପରେ ସ୍ଥାନୀୟ ଅଂଚଳରେ ବର୍ଷା ସ୍ୱାଭାବିକ ହେଉଛି । ତେଣୁ ଏଠାରେ କୃଷ୍ଣସାର ମୃଗଙ୍କୁ ପୂଜା କରୁଛନ୍ତି ଲୋକେ ।

କୃଷ୍ଣସାର ମୃଗ କେବଳ ଭାରତ, ନେପାଳ ଓ ପାକିସ୍ତାନରେ ଦେଖାଯାଆନ୍ତି । ଘାସୁଆ ସମତଳ ଅଂଚଳ କିମ୍ବା କମ୍ ଘଂଚ ଜଙ୍ଗଲରେ ବାସ କରିଥାନ୍ତି ଏମାନେ । ପ୍ରାୟ ୧୦ରୁୁ ୧୫ ବର୍ଷ ବଂଚୁଥିବା ଏହି ପ୍ରାଣୀଙ୍କ ମାଂସ ଓ ଚମଡା ପାଇଁ ଶୀକାର କରାଯାଇଥାଏ । ତେବେ ବନ୍ୟପ୍ରାଣୀ ସୁରକ୍ଷା ଆଇନ୍ ୧୯୭୨ ଅନୁଯାୟୀ ଭାରତରେ କୃଷ୍ଣସାର ମୃଗ ଶୀକାର ଏକ ଦଣ୍ଡନୀୟ ଅପରାଧ ।