ଅମିତ ଶାହାଙ୍କ ପ୍ରତି କଂଗ୍ରେସ ନେତାଙ୍କ ଅଶାଳୀନ ମନ୍ତବ୍ୟ ! ଚିହିଁକି ଉଠିଲା ବିଜେପି ।

247

କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ବିକେ ହରିପ୍ରସାଦ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିବାଦୀୟ ବୟାନ ରଖିଛନ୍ତି । ହରିପ୍ରସାଦ କହିଛନ୍ତି, କଂଗ୍ରେସର କିଛି ବିଧାୟକ ଯେଉଁମାନେ ବିଜେପିରେ ମିଶିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁଣି କଂଗ୍ରେସକୁ ଫେରିଆସିଛନ୍ତି । ଆଉ ଏଥିପାଇଁ ଅମିତ ଶାହା ଡରିଯାଇଛନ୍ତି ଏବଂ ତାଙ୍କ ଦେହ ଖରାପ ହୋଇଛି । ହରିପ୍ରସାଦ କହିଛନ୍ତି, ତାଙ୍କୁ ସ୍ୱାଇନ୍ ଫ୍ଲୁ ହୋଇଛି, ତେବେ ଯଦି କର୍ଣ୍ଣାଟକରେ ଅମିତ ଶାହା ସରକାର ହଟାଇବାକୁ ପ୍ରୟାସ କଲେ ତାଙ୍କୁ କେବଳ ସ୍ୱାଇନ୍ ଫ୍ଲୁ ନୁହେଁ ଏହା ଠାରୁ ସାଂଘାତିକ ରୋଗ ହେବ ବୋଲି କଂଗ୍ରେସର ଏହି ନେତା କହିଛନ୍ତି ।

ତେବେ ହରିପ୍ରସାଦଙ୍କ ଏଭଳି ବୟାନ ପରେ ବିଜେପି ମଧ୍ୟ ତାଙ୍କୁ ଓଲଟା ବାଣ ମାରିବାକୁ ଡେରି କରିନି । କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ ହରିପ୍ରସାଦଙ୍କ ଉପରେ ପାଲଟା ଆକ୍ରମଣ କରିବା ସହ କହିଛନ୍ତି, ଯେଉଁଭଳି ଭାବେ ଖରାପ ଏବଂ ନିନ୍ଦନୀୟ ବୟାନ କଂଗ୍ରେସ ସାଂସଦ ବିକେ ହରିପ୍ରସାଦ, ଅମିତ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଦେଇଛନ୍ତି, ତାହା କଂଗ୍ରେସକୁ ସ୍ଥରକୁ ଦର୍ଶାଉଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅମିତ ଶାହା ସ୍ୱାଇନ ଫ୍ଲୁର ଚିକିତ୍ସା କରାଉଛନ୍ତି କିନ୍ତୁ କଂଗ୍ରେସ ନେତାମାନଙ୍କର ମାନସିକ ରୋଗର ଚିକିତ୍ସା ଅସମ୍ଭବ ଅଟେ । ସେପଟେ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ କହିଛନ୍ତି, ଏଭଳି ବୟାନ୍ କଂଗ୍ରେସ ନେତୃତ୍ୱର ପରିଚୟ ଦର୍ଶାଉଛି ।

ସୂଚନା ଅନୁଯାୟୀ, ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତି ଶାହା ସ୍ୱାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ଏପରିକି ଏହି ରୋଗ କାରଣରୁ ତାଙ୍କୁ ଆହୁରି ୩, ୪ଦିନ ହସ୍ପିଟାଲରେ ରହିବାକୁ ପଡିପାରେ । ତେବେ ଅମିତ ଶାହା ନିଜେ ଟ୍ୱିଟ୍ କରି ନିଜ ରୋଗ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ଶାହାଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି କଂଗ୍ରେସ ନେତାଙ୍କ ଏଭଳି ଅଶାଳୀନ ମନ୍ତବ୍ୟକୁ ନେଇ ଏବେ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୀତି ଜୋର ଧରିଛି ।