୨୦୧୯ ନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେପିର ପ୍ରସ୍ତୁତି । ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ପ୍ରତି ରାଜ୍ୟରେ ୧୧ ଜଣିଆ କମିଟି ବା ନିର୍ବାଚନ ପ୍ରସ୍ତୁତି ମଣ୍ଡଳୀ ଗଠନ କରିବ । ଏହି ମଣ୍ଡଳୀ ମୁଖ୍ୟତଃ ୧୩ଟି ଗୁରୁତ୍ୱପୂର୍ଣ୍ଣ ବିଷୟର ତଦାରଖ କରିବ । ସେହିପରି ୫୪୩ଟି ଲୋକସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରଭାରୀ ନିଯୁକ୍ତ ହେବେ । ୨୦୧୪ ତୁଳନାରେ ୨୦୧୯ରେ ଅଧିକ ବ୍ୟବଧାନରେ ବିଜୟ ପାଇଁ ବିଜେପି ଏହି ରଣନୀତି ପ୍ରସ୍ତୁତ କରିଛି ।

ଜୁଲାଇ ମାସ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ସମସ୍ତ ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଶାହା ରାଜ୍ୟଗୁଡ଼ିକର ରାଜନୈତିକ ସ୍ଥିତି, ବିରୋଧୀ ଦଳର ରଣନୀତି ଓ ସମ୍ଭାବ୍ୟ ମେଂଟ ସମ୍ପର୍କରେ ଆଲୋଚନା କରିବେ । ପ୍ରଭାରୀଙ୍କ ବ୍ୟତୀତ ପ୍ରତି ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ ଜଣିଆ ସୋସିଆଲ୍ ମିଡ଼ିଆ ଟିମ୍ ନିଯୁକ୍ତ କରାଯିବ । କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ନେଇ ୨ ଜଣିଆ ଟିମ୍ ରହିବେ ।

ଶାହାଙ୍କ ଗସ୍ତ ପରେ ଦଳୀୟ ସମ୍ପାଦକ ମାନଙ୍କୁ ଏକାଧିକ ରାଜ୍ୟର ଦାୟିତ୍ୱ ଦିଆଯିବ । ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି ଓ କଂଗ୍ରେସ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି ବିଜେପି ରଣନୀତି ବଦଳାଇଥିବା କୁହାଯାଉଛି । ଏହି ନୂଆ ରଣନୀତି ସହ ବିରୋଧୀ ଦଳକୁ ଚକମା ଦେବାକୁ ଲକ୍ଷ୍ୟ ରଖିଛି ବିଜେପି । ୨୦୧୯ ନିର୍ବାଚନ ପାଇଁ ବିଜେପି ବିରୋଧରେ ବିରୋଧୀ ଦଳ ଏକାଠି ହେଉଥିବା ବେଳେ ବିଜେପି ଏହି ମେଗା ପ୍ଲାନ ଆରମ୍ଭ କରିବାକୁ ଯାଉଛି । ତେବେ ବିଜେପିର ଏହି ନୂଆ ରଣନୀତି କେତେ ମାତ୍ରାରେ ସଫଳ ହେବ ତାହା ଆଗାମୀ ୨୦୧୯ ନିର୍ବାଚନରେ ହିଁ ଜଣାପଡ଼ିବ ।