ବିଜେପିର କ୍ଷମତା ଦଖଲ ଅଭିଯାନ ! ଏପ୍ରିଲ ୧୫ ଓ ୧୬ରେ ଭୁବନେଶ୍ୱରରେ ବସିବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ

26

କନକ ବ୍ୟୁରୋ : ବିଜେପିର କ୍ଷମତା ଦଖଲ ଅଭିଯାନ । ଏପ୍ରିଲ ୧୬ ଓ ୧୭ ତାରିଖରେ ଭୁବନେଶ୍ୱରରେ ହେବ ପରବର୍ତୀ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ । ଯୋଗ ଦେବେ ବିଜେପିର ଜାତୀୟ ସ୍ତରର ସମସ୍ତ ତୁଙ୍ଗ ନେତା । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସାମିଲ ହେବେ କ୍ୟାବିନେଟ୍ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ଦଳର ଆଗାମୀ କାର୍ଯ୍ୟକ୍ରମ ପାଇଁ ଏହି ଦୁଇ ଦିନିଆ କାର୍ଯ୍ୟକାରିଣୀରେ ହେବ ମାନସ ମନ୍ଥନ । ଏ ନେଇ ଆଜି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତାକାଲି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏ ସଂପର୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବା କାର୍ଯ୍ୟକ୍ରମ ରହିଛି ।

ତେବେ ଓଡ଼ିଶାରେ ଏହି କାର୍ଯ୍ୟକାରିଣୀ ପଛରେ ବିଜେପିର ରହିଛି ବଡ ଉଦ୍ଦେଶ୍ୟ । ୨୦୧୯ରେ ଓଡ଼ିଶା ଦଖଲ ପାଇଁ ଏହି କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହୋଇପାରେ ରଣନୀତି । ପଂଚାୟତ ନିର୍ବାଚନରେ ସଫଳତା ପରେ ଓଡ଼ିଶାକୁ ଟାର୍ଗେଟ କରିଛି ଦଳ । ନବୀନ ସରକାରକୁ ହଟାଇ ଓଡ଼ିଶାରେ କ୍ଷମତା ହାସଲ ପାଇଁ ଆରମ୍ଭ କରିଛି ଅଭିଯାନ । ପୂର୍ବରୁ ଦିଲ୍ଲୀ କାର୍ଯ୍ୟକାରିଣୀରେ ଉତରପ୍ରଦେଶ ନିର୍ବାଚନ ଜିତିବା ପାଇଁ ହୋଇଥିଲା ବ୍ଲୁ ପ୍ରିଂଟ । ଓଡ଼ିଶାରେ ତୃଣମୂଳ ସ୍ତରରେ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ବିଜେପି କେନ୍ଦ୍ର ନେତୃବୃନ୍ଦ ଲକ୍ଷ୍ୟ ରଖିଛନ୍ତି ।

ଚର୍ଚ୍ଚା ହେଉଛି, କେବଳ ଏଥିପାଇଁ ଦୀର୍ଘ ବର୍ଷ ପରେ ଭୁବନେଶ୍ୱରରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିବାକୁ ନିଷ୍ପତି ନିଆଯାଇଛି । ଉତରପୂର୍ବ ରାଜ୍ୟରେ ବିଜେପି ପ୍ରବେଶ କରିବା ଓ ଆସାମରେ କ୍ଷମତା ଦଖଲ ପରେ ଓଡ଼ିଶା ରହିଛି ଦଳର ପରବର୍ତୀ ଟାର୍ଗେଟ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ରହିଛନ୍ତି ଦଳର ତୁଙ୍ଗ ନେତା । ଦଳର ସମସ୍ତ ନିଷ୍ପତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ନିଆଯାଇଥାଏ । ଓଡ଼ିଶାରେ ଏହି କାର୍ଯ୍ୟକାରିଣୀ ବୈଠକକୁ ରାଜନୈତିକ ମହଲରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଚର୍ଚ୍ଚା ହେଉଛି, ଏହି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ହିଁ ପଡିବ ଓଡିଶାରେ କ୍ଷମତା ଦଖଲର ମୁଳଦୂଆ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –