ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ନୂଆପଡାରେ ବିଜେପି କେନ୍ଦ୍ରୀୟ ଟିମ୍ ! ଝୁମରପାଣି ଓ ସାରାବଙ୍ଗରେ ସ୍ଥିତି ପରଖୁଛନ୍ତି ୬ ଜଣିଆ ପ୍ରତିନିଧି ଦଳ

30

କନକ ବ୍ୟୁରୋ: ନୂଆପଡାରେ ବିଜେପି କେନ୍ଦ୍ରୀୟ ଟିମ୍ । ମରୁଡି ସ୍ଥିତି ଅନୁଧ୍ୟାନ ପାଇଁ ଆଜି ନୂଆପଡା ଜିଲ୍ଲାରେ ପହଂଚିଛନ୍ତି କେନ୍ଦ୍ରୀୟ ଟିମ୍ । ସାଂସଦ ପି. ସୁଗୁନାକର ରାଓଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ନୂଆପଡାରେ ପହଂଚିଛନ୍ତି । ନୂଆପଡା ବ୍ଲକ ଝୁମରପାଣି ଓ ସାରାବଙ୍ଗ ଯାଇ ଏହି ଟିମ୍ ମରୁଡି ସ୍ଥିତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । ସ୍ଥିତି ଅନୁଧ୍ୟାନ ପରେ ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କୁ ରିପୋର୍ଟ ଦେବେ । ରାଜ୍ୟ ବିଜେପିର ୬ ଜଣିଆ ଟିମ୍ ବି କେନ୍ଦ୍ରୀୟ ଟିମ୍ ସହ ସାମିଲ ହୋଇଛି ।

ସୂଚନା ମୁତାବକ, ଚାଷୀଙ୍କୁ ନେଇ ରୋଚକ ହେଉଛି ରାଜନୈତିକ ବୟାନବାଜି । ଦିଲ୍ଲୀରେ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅଭିଯୋଗକୁ ଭୁବନେଶ୍ୱରରେ ବସି କାଟୁଛନ୍ତି ରାଜ୍ୟ କୃଷିମନ୍ତ୍ରୀ । କୃଷକଙ୍କ ଏହି ଦୁର୍ଦ୍ଦିନରେ କିଏ କେତେ ଟଙ୍କା ଦେଲା ଆଉ କିଏ ଖର୍ଚ୍ଚ କଲାନାହିଁ, ତାକୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ । ଓଡିଶାର ଭାତ ହାଣ୍ଡି ବରଗଡ ଜିଲ୍ଲାରେ ଚକଡା ପୋକର ଚଡକ, ରାଜ୍ୟ ରାଜନୀତିକୁ ଏକପ୍ରକାର ସରଗରମ କରିଛି । ମରୁଡି ଓ ଚକଡା ପୋକ ପ୍ରଭାବିତ ଚାଷୀଙ୍କ ପାଇଁ ଓଡିଶା ସରକାରଙ୍କ ପ୍ୟାକେଜ ପରେ, ବରଗଡରେ ପହଂଚିଥିଲେ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ । ଯାହାକୁ ରାଜନୈତିକ ଚାଲ ବୋଲି କହୁଛନ୍ତି ବିଜେଡି ନେତା । ବିଜେପି ରାଷ୍ଟ୍ରୀୟ ସଭାପତି ପଠାଇଥିବା ୬ ଜଣିଆ ଟିମରେ ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚାର ସାଧାରଣ ସମ୍ପାଦକ ପି. ସୁଜ୍ଞାନ ରାଓ, ଆନ୍ଧ୍ରପ୍ରଦେଶ କୃଷକ ମୋର୍ଚ୍ଚା ସଭାପତି ପୁଡ୍ଡି ଚିରୁପତି ରାଓ, କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, ସମ୍ପାଦକ ଶମ୍ଭୁ କୁମାର ପ୍ରମୁଖ ଅଛନ୍ତି ।

ମଧ୍ୟପ୍ରଦେଶ ଧାରର ସାଂସଦ ସାବିତ୍ରୀ ବାଇ ଠାକୁର ଓ ବିହାର ଶିବାନର ସାଂସଦ ଓମପ୍ରକାଶ ଯାଦବଙ୍କ ନେତୃତ୍ୱରେ ଆସିଛନ୍ତି ଏହି ଟିମ୍ ।ହେଲେ କେନ୍ଦ୍ରୀୟ ଟିମ ପଠାଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ବରଗଡ଼ରେ ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ ମୃତ ଚାଷୀଙ୍କ ପରିବାରକୁ ଭେଟିଥିଲେ । ତେବେ ପାରମ୍ପରିକ ଚାଷ ଉପରେ ନିର୍ଭର କରୁଥିବା ଓଡିଶାର ପ୍ରାୟ ୭୦ ପ୍ରତିଶତ ଲୋକଙ୍କୁ ହାତଛଡା କରିବାକୁ ଚାହୁଁନାହାନ୍ତି ଦୁଇ ପ୍ରମୁଖ ରାଜନୈତିକ ଦଳ । ମରୁଡି ଓ ଚକଡା ପୋକ ଦାଉରେ ସର୍ବସ୍ୱ ହରାଇଥିବା ଚାଷୀଙ୍କୁ ନେଇ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରିଛନ୍ତି ବିଜେଡି ଓ ବିଜେପି । ଆଉ ଏହାରି ଭିତରେ ଆଗାମୀ ୧୨ ତାରିଖରେ କ୍ଷୟକ୍ଷତି ଆକଳନ ପାଇଁ ଆସିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରତିନିଧି ।