ରାଜ୍ୟ ବିଜେପିକୁ ‘ବେକାରୀ’ ଚିନ୍ତା! ରାଜରାସ୍ତାରେ ଆନ୍ଦୋଳନ । ବିଜେଡି ମନେ ପକେଇଦେଲା ୨ କୋଟି ଚାକିରୀ ଦେବାକୁ କିଏ କହିଥିଲା?

389

କନକ ବ୍ୟୁରୋ: ବେକାରୀ ପାଇଁ ଗର୍ଜିଲା ବିଜେପି । ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ନେଇ ବିଧାନସଭା ଘେରାଉ କରିବା ପାଇଁ ହଜାର ହଜାର ବିଜେପି କର୍ମୀମାନେ ପୋଲିସଙ୍କ ସହ ଧସ୍ତାଧସ୍ତି ହୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଯୁବମାରଣ ନୀତି ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ବିଧାନସଭା ଘେରାଉ ଉଦ୍ୟମ ବେଳେ ଆରବିଆଇ ଅଫିସ ଆଗରେ ଅଟକାଇଥିଲା ପୁଲିସ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପୁଲିସ ଶତାଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ।

ଅନ୍ୟପଟେ ଏହାକୁ ନେଇ ବିଜେପି କହିଛି ଯେ, ରାଜ୍ୟ ସରକାରଙ୍କ ଯୁବମାରଣ ନୀତି, ବେକାରୀଙ୍କୁ ରୋଜଗାର ପ୍ରଦାନରେ ବିଫଳ, ଓଡିଆ ଯୁବକ ଯୁବତୀଙ୍କୁ ସ୍ୱାବଲମ୍ବୀ କରିବାରେ ରାଜ୍ୟ ସରକାର ବାଧକ ସାଜିଥିବା ଅଭିଯୋଗ କରି ବିକ୍ଷୋଭ କରିଛି ବିଜେପି ଯୁବ ମୋର୍ଚା । ଏହାର ଜବାବରେ ବିଜେଡି ନେତା ସଂଜୟ ଦାସବର୍ମା କହିଛନ୍ତି ଯେ, ଦୁର୍ଭାଗ୍ୟର କଥା ୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଆସିବା ପୂର୍ବରୁ ଭାରତ ବର୍ଷର ଯୁବକ ମାନଙ୍କୁ କହିଥିଲେ ବର୍ଷକୁ ମୁଁ ୨ କୋଟି ଚାକିରି ଦେବି । ୨ କୋଟି ଦେଲେ ପାଂଚ ବର୍ଷରେ ୧୦ କୋଟି ଚାକିରି ହେବ ଆନୁପାତିକ ଭାବେ ୩୬ ଲକ୍ଷ ଓଡିଆଙ୍କୁ ଚାକିରି ଦବା କଥା। ର୍ମୁଁ ଆହ୍ୱାନ କରୁଛି ବିଜେପିର ସେହି ଯୁବ ମଣ୍ଡଳୀଙ୍କୁ ଯେଉଁ ମାନେ ଆଜି ଆନ୍ଦୋଳନ କରୁଛନ୍ତି ନିର୍ବାଚନ ଆଉ ୩୦ ଦିନ ତିବା ବେଳେ ସେମାନେ ଏବେ ୩୬ ଲକ୍ଷ ଓଡିଆ ଯୁବଙ୍କ ତାଲିକା ଦେଇ ଦିଅନ୍ତୁ ଏହାପରେ ଆମେ ସାଧାରଣ ଜୀବନରୁ ଅବ୍ୟାହାତି ନେବୁ । ନିର୍ବାଚନ ଯିବା ପୁର୍ବରୁ ବିଜେପି ଯେଉଁ ସୁଆଙ୍ଗ କରୁଛି ତାକୁ ଓଡିଶା ଜନସାଧାରଣ ଆସନ୍ତା ନିର୍ବାଚନରେ ଜବାବ ଦେବେ ।

ସେପଟେ ଓଡ଼ିଶାରେ ବେକାରୀ ସଂଖ୍ୟା ଅଧିକ ନୁହେଁ ବରଂ ଦେଶର ବିଭିନ୍ନ ରାଜ୍ୟ ରହିଛି ଯେଉଁଠାରେ ବେରୋଜଗାରୀ ସଂଖ୍ୟା ଓଡ଼ିଶା ଠାରୁ ଢ଼େର ଅଧିକ । ଏଲଏଫପିଆର ସର୍ଭେ ସୂଚନା ମୁତାବକ ରାଜ୍ୟ ମାନଙ୍କ ମଧ୍ୟରେ ବର୍ତ୍ତମାନ ସିକିମ୍, ହିମାଚଳ ପ୍ରଦେଶ ଏବଂ କେରଳରେ ସର୍ବାଧିକ ବେକାରୀ ସଂଖ୍ୟା ରହିଛି । କେରଳରେ ୧୮ରୁ ୬୦ ବର୍ଷ ମଧ୍ୟରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ୧୨.୫ ପ୍ରତିଶତ ବେକାରୀ ରହିଛନ୍ତି । ଯାହା ଜାତୀୟ ହାର ତୁଳନାରେ ମାତ୍ର ୩.୧ ପ୍ରତିଶତ କମ୍ ରହିଛି । ସେହିଭଳି ଆନ୍ଧ୍ରପ୍ରଦେଶରେ ମଧ୍ୟ ବେକାରୀ ସମସ୍ୟା ଉକ୍ରଟ ରହିଥିବାବେଳେ ବିଜେପିର ଆନ୍ଦୋଳନକୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।