ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘର ଉପରକୁ ଢ଼େଲା ଓ ଗୋବର ମାଡ ! ବିଜେପି କର୍ମୀ ଓ ପୋଲିସ ମୁହାଁମୁହିଁ

46

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ଭୁବନଶ୍ୱରସ୍ଥିତ ସରକାରୀ ବାସଭବନକୁ ଢେଲା ଓ ଗୋବର ମାଡ଼ କରିଛନ୍ତି ବିଜେପି କର୍ମୀ । ଭି.କେ.ପାଣ୍ଡିଆନ ସରକାରୀ ବାସଭବନକୁ ଧଶେଇ ପଶିବାକୁ ଉଦ୍ୟମ ମଧ୍ୟ କରିଥିଲେ । ଆଜି ସକାଳେ ବିଜେପି କର୍ମୀଙ୍କ ମାନେ ଏକାଠି ହୋଇ ନାରାବାଜି କରିବା ସହ ଢେଲାମାଡ କରିଥିଲେ । ଘଟଣାସ୍ଥଳରେ ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳରତ ବିଜେପି କର୍ମୀଙ୍କୁ ଗିରଫ କଲା ପୋଲିସ୍ ।

ଘଟଣାକୁ ବିଜେଡ଼ି ନିନ୍ଦା କରିଛି । ବିଜେଡ଼ି ନେତ୍ରୀ ସୁଲୋଚନା ଦାସ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏପରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଓ ନିରାଶାଜନକ । ଜଣେ ବ୍ୟୁରୋକ୍ରାଟ୍ ଘରକୁ ଢ଼େଲାମାଡ଼ କରିବା ନିହାତି ନିନ୍ଦନୀୟ । ଆଉ ମଧ୍ୟ ସେ କହିଛନ୍ତି, ବିଜେପି ହତାଶ ହୋଇ ଏପରି କରୁଛି ।

ପୋଲିସ କମିଶନର ୱାଇ.ବି ଖୁରାନିଆ ମଧ୍ୟ ଏନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ୫ ଜଣ ବିଜେପି କର୍ମୀଙ୍କୁ ଗରିଫ କରିଥିବା ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି , ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଘଟଣାକୁ ଗୁରୁତର ସହ ନେବା ସହ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଛି ସେ ନେଇ ତଦନ୍ତ ଚାଲିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଧସେଇ ପଶିବା ଉଦ୍ୟମ ଘଟଣାକୁ ନିନ୍ଦା କରିଛି ଓଏଏସ ସଂଘ । ଘଟଣାରେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ସଂଘ । ପାଣ୍ଡିଆନ ଜଣେ ଦକ୍ଷ ଅଫିସର ଏବଂ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି, ଓଏଏସ ସଂଘ ସଭାପତି ଶରତ ସାମଲ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଧସେଇ ପଶିବା ଉଦ୍ୟମ ଘଟଣାକୁ ନେଇ ବିଜେଡ଼ି କରିଛି ପ୍ରେସମିଟ୍ । ବିଜେଡ଼ି କହିଛି, ବିଜେପିର ଇଙ୍ଗିତରେ ଏପରି ହୋଇଛି । ବିଜେପି କର୍ମୀମାନେ ଅସହିଷ୍ଣୁତା ଆଡ଼କୁ ଯାଉଛନ୍ତି । ବିଜେପୁର ଉପନିର୍ବାଚନ ବନ୍ଦ କରିବା ପାଇଁ ବିଜେପି ଏପରି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡ଼ି କହିଛି । ଲାଠି ବଳରେ କ୍ଷମତାକୁ ଆସିବାକୁ ଚାହୁଁଛିି ବିଜେପି । ତେବେ ଏନେଇ ବିଜେପି ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ରହିଛି ବିଜେଡ଼ି ପ୍ରକାଶ କରିଛି ।