ପଦାରେ ପଡିଲା ବିଜେପି କଳି! ଧର୍ମେନ୍ଦ୍ରଙ୍କ ସାମ୍ନାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଠେଲା ପେଲା ସହ ପରସ୍ପରକୁ ନିର୍ଦ୍ଧୁମ ଛେଚିଲେ

391

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେପି ଶିବିରରେ ସେତିକି ଅସନ୍ତୋଷ ବଢିବାରେ ଲାଗିଛି । ଗୋଟିଏ ପଟେ ମିଶନ ୧୨୦କୁ ପୂରା କରିବାକୁ ବିଜେପିର ହେଭିୱେଟ ମାନେ ଜୋର ଲଗାଇଥିବା ବେଳେ ଅନ୍ୟପଟେ ତୃଣମୂଳ ସ୍ତରରେ ଭୟଙ୍କର ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଯାହାର ଝଲକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସମୟରେ ଦେଖିବାକୁ ମିଳୁଛି । ଆଉ ଏଭଳି ଏକ ଘଟଣା ଏବେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରୁ ସାମ୍ନାକୁ ଆସିଛି ।

ପଦାରେ ପଡିଲା ରାଜନଗର ବିଜେପିର କନ୍ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମାଡପିଟ । ଆଉ ଏହି ଗଣ୍ଡଗୋଳ ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହା ଏବେ କେନ୍ଦ୍ରାପଡା ରାଜନୀତିକୁ ଉଷ୍ମ କରିଛି ।

ସୂଚନା ଅନୁଯାୟୀ, ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟରରେ ଆସିଥିବା ବେଳେ କଲେଜ ପଡିଆରେ ଓହ୍ଲାଇ ଥିଲେ । ତେବେ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସମୟରେ ଆରମ୍ଭ ହୋଇଥିଲା ମହାଭାରତ । ପୂର୍ବରୁ ଏଠାରେ ଗୋଷ୍ଠୀ ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଏହା ଉଗ୍ର ରୂପ ନେଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସାମ୍ନାରେ ଠେଲାପେଲା ସହ ମୁଥ ମରାମରି ହୋଇଥିଲେ ଉଭୟ ଗୋଷ୍ଠୀର କର୍ମୀ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଗୋଷ୍ଠୀର କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଦୁଇ ଗୋଷ୍ଠୀ ମଧ୍ୟରୁ ଗୋଟିଏ ଗୋଷ୍ଠୀର ଅଭିଯୋଗ ହେଲା, ଅନ୍ୟ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା କିଛି ନେତାଙ୍କୁ ଧର୍ମେନ୍ଦ୍ର ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ପୁରୁଣା କର୍ମୀ ଓ ନେତାଙ୍କୁ ଅଣଦେଖା କରାଯାଉଛି । କୌଣସି କାର୍ଯ୍ୟକ୍ରମରେ ଡକାଯାଉନଥିବା ବେଳେ ସଙ୍ଗଠନରେ ମଧ୍ୟ ବାଧା ସୃଷ୍ଟି କରାଯାଉଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ତେବେ ନୂଆକରି ଦଳରେ ଯୋଗ ଦେଇଥିବା ନେତା ଓ କର୍ମୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଯଦି ଆଗାମୀ ଦିନରେ ଏଭଳି ପରିସ୍ଥିତି ଲାଗି ରହେ ତେବେ ସାଂଘାତିକ ସ୍ଥିତି ସୃଷ୍ଟି ହେବ ବୋଲି କିଛି କର୍ମୀ ଚେତାବନୀ ଦେଇଛନ୍ତି ।