ବିଜେପି ସଭାରେ ବିଜେଡି କର୍ମୀଙ୍କୁ ମାଡ । ଟଙ୍କା ଛଡାଇ ନେଲେ, ତଳେ ପକାଇ ଗୋଇଠା ମାରିବା ସହ ସାର୍ଟ ଚିରିଲେ

1,024

କନକ ବ୍ୟୁରୋ : ସଭାମଂଚରେ ବଡ ବଡ ନେତା । ଆଉ ତଳେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ ମାଡ । ଗତକାଲି ଖୋର୍ଦ୍ଧାରେ ମୋଦିଙ୍କ ଜନସଭାରେ ଦେଖିବାକୁ ମିଳିଥିଲା ଏଭଳି ଏକ ଦୃଶ୍ୟ । ବିଜେପି ସଭା ମଧ୍ୟକୁ ପଶିଆସିଥିଲେ ଜଣେ ବିଜେଡି ଫ୍ୟାନ୍ । ଯାହାକୁ ସହ୍ୟ କରିପାରିନଥିଲେ ବିଜେପି କର୍ମୀ ।

ଖୋର୍ଦ୍ଧା ଗୋଶାଳା ପଡିଆର ସମାବେଶ, ଯେଉଁଠି ହଜାର ହଜାର ବିଜେପି କର୍ମୀଙ୍କ ସମାଗମ ହୋଇଥିଲା । ମୋଦି ନାଁ ନ ନେଇ ମଞ୍ଚ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଆଉ ତଳେ ବିଜେପି କର୍ମୀ ଜଣେ ବ୍ୟକ୍ତିଙ୍କୁ ମନଇଚ୍ଛା ଛେଚି ଚାଲିଥିଲେ । ମଞ୍ଚ ତଳେ ଜଣେ ବ୍ୟକ୍ତିଙ୍କୁ ଟଣା ଓଟରା, ଗାଳିଗୁଲଜ ଓ ଧକ୍କ ମାରିବା ସହ ତଳେ ପକାଇ ତାଙ୍କ ଡ୍ରେସ ମଧ୍ୟ ଚିରୁଥିଲେ ବିଜେପି କର୍ମୀ । ଏପରିକି ଅଶ୍ରାବ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରୁଛନ୍ତି । ଆଉ ମାଡ ଖାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ବରଗଡର ଖଗେଶ୍ୱର ଦେହୁରୀ । ନିଜକୁ ସେ ନବୀନ ପଟ୍ଟନାୟକଙ୍କ ବଡ ଫ୍ୟାନ ବୋଲି କହୁଥିବା ଖଗେଶ୍ୱର, ସେଲଫି ଟିଏ ନେବା ପାଇଁ ପହଂଚିଥିଲେ ଗୋଶାଳା ପଡିଆ ।

ସଭାସ୍ଥଳକୁ ଗଲା ବେଳେ ଖଗେଶ୍ୱରଙ୍କ ବେଶଭୂଷା ଥିଲା ବେଶ୍ ନିଆରା । ହାତରେ ଧରିଥିଲେ ବିଜେଡିର ପତାକା । ଆଉ ଦେହରେ ଥିଲା ବିଜେଡି ପତାକାର ପୋଷାକ । ଦେହ ଓ ମୁଣ୍ଡରେ ଲେଖା ଥିଲା ନବୀନ ଓ ଶଙ୍ଖ ଚିହ୍ନ । କିନ୍ତୁ ଏହି ଦୃଶ୍ୟକୁ ହଜମ କରିପାରିନଥିଲେ ବିଜେପି କର୍ମୀ । ସେମାନଙ୍କ ମୁଣ୍ଡକୁ ଚଢିଯାଇଥିଲା ରାଗ । ଆଉ ତାପରେ ଆରମ୍ଭ ହୋଇଯାଇଥିଲା ମାଡ ଗାଳିର ପର୍ବ । ଘଟଣାସ୍ଥଳରେ ପୋଲିସ ପହଂଚି ବିଜେପି କର୍ମୀଙ୍କ କବଳରୁ ଖଗେଶ୍ୱରଙ୍କୁ ଉଦ୍ଧାର କରିଥିଲା । ଗୋଶାଳା ପଡିଆରେ ହେଉଥିବା ସଭାରେ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଭାବି ଭୁଲରେ ପଶି ଆସିଥିବା ଖଗେଶ୍ୱରଙ୍କୁ ବିଜେପି କର୍ମୀଙ୍କଠୁ ଖାଇବାକୁ ପଡିଛି ଉତମ ମଧ୍ୟମ ।

ଗଣତାନ୍ତ୍ରିକ ରାଜ୍ୟରେ ସବୁ ସଭାମଂଚକୁ ସମସ୍ତେ ଯିବାର ଅଧିକାର ରହିଛି । କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜଣେ ବ୍ୟକ୍ତିଙ୍କୁ ଏପରି ମାଡ ମାରିବା କେତେ ଯୁକ୍ତି ସଂଗତ, ତାହା ହିଁ ବର୍ତମାନର ବଡ ପ୍ରଶ୍ନ ।