ଫେସବୁକରେ ପୋଷ୍ଟ ହେଲା ଅରୁଚିକର ଢଙ୍ଗରେ ଉପସ୍ଥାପିତ ହୋଇଥିବା ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ଫଟୋ, ଅଭିଯୁକ୍ତ ବିଜେପି କର୍ମୀ ଗିରଫ

58

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ଅରୁଚିକର ଢଙ୍ଗରେ ଉପସ୍ଥାପିତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ଉଭୟଙ୍କ ଫଟୋକୁ ଅଶ୍ଳୀଳ ଢଙ୍ଗରେ ଉପସ୍ଥାପିତ କରି ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଗିରଫ ହୋଇଛନ୍ତି ଜଣେ ବିଜେପି ନେତା । ପଶ୍ଚିମ ମିଦିନାପୁରର ଶାଳବଣୀ ଥାନା ଅଞ୍ଚଳରେ ରହୁଥିବା ବାବୁୟା ଘୋଷଙ୍କୁ ଏହି ଅଭିଯୋଗରେ ପୁଲିସ ଗିରଫ କରିଛି। ବାବୁୟା ଜଣେ ଭାରତୀୟ ଜନତା ପାର୍ଟି କର୍ମୀ ଏବଂ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ ଭାବେ ଫଟୋସପ୍ରେ ପ୍ରସ୍ତୁତ କରି ଫେସ୍ବୁକ୍ରେ କମେଣ୍ଟ ସହ ପୋଷ୍ଟ କରିଥିଲେ।

ନବୀନ ଓ ମମତାଙ୍କ ବିକୃତ ଫଟୋ ସହ ସେ ଲେଖିଥିଲେ କି ଯଦି ଆପଣମାନେ ଠିକ୍ ବୟସରେ ବିବାହ କରୁନାହାନ୍ତି, ତେବେ ସେ ପାଗଳ ହୋଇଯାଇପାରନ୍ତି। ବର୍ତ୍ତମାନ୍ କିନ୍ତୁ ସମଗ୍ର ପଶ୍ଚିମବଙ୍ଗ ଦେଖିପାରୁଛି, ଯଦି ଜଣେ ଝିଅ ଠିକ୍ ବୟସରେ ବିବାହ ନ କରେ ତେବେ କ’ଣ ହେବ? ଏହି ଫଟୋ ଓ ପୋଷ୍ଟକୁ ନେଇ ଅନେକ ପ୍ରତିକ୍ରିୟା ଆସିବା ପରେ ପୁଲିସ ବାବୁୟାଙ୍କୁ ଗିରଫ କରିଛି।ଉଲ୍ଲେଖଯୋଗ୍ୟ କି ଓଡ଼ିଆ ଫିଲ୍ମ ‘ସମଥିଙ୍ଗ୍ ସମଥିଙ୍ଗ୍’ର ପୋଷ୍ଟରରେ ଥିବା ନାୟକ-ନାୟିକାଙ୍କ ଫଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଯୋଡ଼ି ଏହି ବିକୃତ ତଥା ଅରୁଚିକର ଫଟୋ ପ୍ରସ୍ତୁତ ହୋଇଛି ।