ଚାଲିଲା ମୋଦିଙ୍କ ଯାଦୁ ! ବିଜେପି ହାତରେ ପୁଣି ରହିଲା ଗୁଜରାଟ ଗଡ଼, ସେପଟେ କଂଗ୍ରେସ ହାତରୁ ଖସିଲା ଆଉ ଗୋଟିଏ ରାଜ୍ୟ

43

କନକ ବ୍ୟୁରୋ: ୨୦୧୭ରେ ହୋଇଥିବା ସବୁଠୁ ବଡ଼ ନିର୍ବାଚନର ଫଳାଫଳ ଆସିଛି । ପୁଣି ଥରେ ମୋଦି-ଅମିତ ଶାହଙ୍କ ଗୁଜରାଟରେ କ୍ଷମତାକୁ ଆସିଛି ବିଜେପି । କ୍ରମାଗତ ଷଷ୍ଠ ଥର ପାଇଁ ବିଜେପି ପିନ୍ଧିଛି ରାଜତିଳକ । ଗୁଜରାଟର ମୋଟ ୧୮୨ ଆସନ ମଧ୍ୟରୁ ୯୫ଟି ଆସନରେ ବିଜେପି ଜିତିଥିବା ବେଳେ ୪ ଟି ଆସନରେ ଆଗୁଆ ରହିଛି । ଅର୍ଥାତ୍ ୯୯ଟି ଆସନରେ ବିଜେପିର ଦବଦବା ଦେଖିବାକୁ ମିଳିଛି । ସରକାର ଗଢିବା ପାଇଁ ମ୍ୟାଜିକ୍ ସଂଖ୍ୟା ୯୨ ।  ଗୋଟିଏ ପଟେ ବିଜେପି ସରକାର ଗଢିବାକୁ ଯାଉଥିବା ବେଳେ କଂଗ୍ରେସ ଏଥର ଜୋରଦାର ଟକ୍କର ଦେଇଛି । ୨୦୧୨ ତୁଳନାରେ କଂଗ୍ରେସ ଭଲ ପ୍ରଦର୍ଶନ କରିଥିଲେ ବି ସରକାର ଗଢିବା ସଂଖ୍ୟା ଠାରୁ ପଛରେ ପଡିଯାଇଛି । ୭୫ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୨ଟି ଆସନରେ ଆଗୁଆ ରହିଛି । ବର୍ତ୍ତମାନ ଟ୍ରେଣ୍ଡ ଅନୁସାରେ ୭୭ଟି ଆସନରେ ସୀମିତ ରହିବାକୁ ପଡିପାରେ କଂଗ୍ରେସକୁ । ସେହିପରି ଅନ୍ୟାନ୍ୟ ଦଳ ଖାତାକୁ ଯାଇଛି ୬ଟି ଆସନ ।

ଖାଲି ସେତିକି ନୁହେଁ ବିଜେପିକୁ ମିଳିଛି ଡବଲ୍ ଖୁସି । ଗୋଟିଏ ପଟେ ଷଷ୍ଠ ଥର ପାଇଁ ଗୁଜରାଟରେ ସରକାର ଗଢୁଛି ବିଜେପି ଅନ୍ୟପଟେ ହିମାଚଳ ପ୍ରଦେଶକୁ କଂଗ୍ରେସ ହାତରୁ ଛଡାଇ ନେଇଛି ଦଳ । ୫ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି । ୨୦୦୭ରେ ବିଜେପି ସରକାର ଗଢିଥିଲା । ହେଲେ ୨୦୧୨ରେ କଂଗ୍ରେସକୁ ମିଳିଥିଲା କ୍ଷମତା । ତେବେ ଏଥର ପୁଣି ବିଜେପି ହାତକୁ ଫେରିଛି ଶାସନ ଭାର । ରାଜ୍ୟରେ ମୋଟ ୬୮ଟି ଆସନ ମଧ୍ୟରୁ ବିଜେପି ୩୨ଟି ଆସନରେ ଜିତିଥିବା ବେଳେ ୧୨ଟି ଆସନରେ ଆଗୁଆ ରହିଛି । ମୋଟ ୪୪ଟି ଆସନରେ ବିଜେପିର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଶାସକ କଂଗ୍ରେସ ଏହି ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ୧୭ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିବା ବେଳେ ୪ଟି ଆସନରେ ଆଗୁଆ ରହିଛି । ଫଳରେ ମାତ୍ର ୨୧ଟି ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡିପାରେ । ସେପଟେ ଅନ୍ୟାନ୍ୟଙ୍କ ଖାତାରେ ମୋଟ ୩ଟି ଆସନ ଯାଇପାରେ ।  ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପି ବିଜୟୀ ହେବା ପରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଅମିତ ଶାହାଙ୍କ ସମେତ ଦଳୀୟ କର୍ମୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେପଟେ ନିର୍ବାଚନ ଫଳାଫଳକୁ ନେଇ ଟ୍ୱିଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଜନାଦେଶକୁ ଗ୍ରହଣ କରିବା ସହ ଦୁଇ ରାଜ୍ୟର ନୂଆ ସରକାରକୁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ । ଏହା ସହ ତାଙ୍କ ପ୍ରତି ଗୁଜରାଟ ଓ ହିମାଚଳ ପ୍ରଦେଶର ଲୋକମାନେ ଭଲ ପାଇବା ପ୍ରଦର୍ଶନ କରିଥିବା ଉଲ୍ଲେଖ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, କଂଗ୍ରେସର ଭାଇ ଭଉଣୀମାନେ ତାଙ୍କୁ ଗର୍ବିତ କରିଛନ୍ତି । କଂଗ୍ରେସ କର୍ମୀ ଅନ୍ୟମାନଙ୍କଠାରୁ ଅଲଗା, କାରଣ କ୍ରୋଧ ଥିଲେ ବି ମର୍ଯ୍ୟାଦାକୁ ନଭୁଲି ସେମାନେ ନିର୍ବାଚନ ମଇଦାନରେ ଲଢେଇ କରିଥିଲେ । ଶାଳୀନତା ଓ ସାହସ, କଂଗ୍ରେସର ଶକ୍ତି ବୋଲି ଟ୍ୱିଟରେ ଲେଖିଛନ୍ତି ରାହୁଲ ଗାନ୍ଧି ।