ଯୋଗୀଙ୍କ ବଡ ବିଜୟ ! ରାଜ୍ୟସଭା ନିର୍ବାଚନରେ ୟୁପିର କ୍ରସଭୋଟିଂରେ ୧୦ରୁ ୯ସିଟ୍ ଆସନ ହାତେଇଲା ବିଜେପି

37

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ମାୟାବତୀ- ଅଖିଳେଶ ମହାମେଂଟକୁ ବଡ ଝଟକା ଲାଗିଛି । କାରଣ ସମୁଦାୟ ୧୦ଟି ରାଜ୍ୟସଭା ଆସନରୁ ୯ଟି ହାତେଇ ନେଇଛି ଭାରତୀୟ ଜନତା ପାର୍ଟି । ୟୁପି ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୮ଟି ଆସନରେ ଦଳର ପ୍ରାର୍ଥୀ ବିଜୟୀ ହେବା ସୁନିଶ୍ଚିତ ଥିବାବେଳେ ନବମ ଆସନରେ ମଧ୍ୟ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ।

ମାୟାବତୀଙ୍କ ବହୁଜନ ସମାଜ ପାର୍ଟିର କିଛି ବିଧାୟକ କ୍ରସ ଭୋଟିଂ କରିଥିବା ଖୋଲାଖୋଲି କହିଛନ୍ତି । ଯାହା ବିଜେପିକୁ ଫାଇଦା ଦେଇଛି । ତେବେ ଗୋଟିଏ ଆସନରେ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ବିଜୟୀ ହୋଇଛନ୍ତି । ସେହିପରି ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ ୪ଟି ଆସନରେ ବିଜୟଲାଭ କରିଥିବାବେଳେ ଗୋଟିଏ ଆସନରେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ।

ଉଲ୍ଲେଖ ଥାଉ କି, ଛ’ଟି ରାଜ୍ୟର ୨୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି। ୧୬ଟି ରାଜ୍ୟରେ ୫୮ଟି ରାଜ୍ୟସଭା ଆସନ ମଧ୍ୟରୁ ୧୦ଟି ରାଜ୍ୟରେ ୩୩ ଜଣ ପ୍ରାର୍ଥୀ ମାର୍ଚ ୧୫ରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ୟୁପିରେ ମୋଟ ୧୦ଟି ଆସନ ମଧ୍ୟରୁ ବିଜେପି ୮ଟି ଆସନରେ ନିଜ ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ କରିଥିବା ବେଳେ ଆଉ ଏକ ଆସନ ସମାଜବାଦୀ ପାର୍ଟି ଓ ବିଏସପି ମେଣ୍ଟ ହାତରୁ ଛଡ଼ାଇ ନେବାକୁ ଯୋଜନା କରିଥିଲା । ତେବେ ଉଭୟ ବିରୋଧୀ ଦଳଙ୍କୁ ଚକମା ଦେବା ପାଇଁ ବିଜେପି ତା’ର ନବମ ପ୍ରାର୍ଥୀ ଅନିଲ କୁମାର ଅଗ୍ରଓ୍ଵାଲଙ୍କୁ ରାଜ୍ୟସଭାକୁ ପଠାଇବାକୁ ଜୋରଦାର ପ୍ରୟାସ ଚଳାଇଥିଲା।

ସେହିପରି୧୦ମ ଆସନରେ ବିଏସପି ସୁପ୍ରିମୋ ମାୟାବତୀଙ୍କ ସଙ୍କଟ ବଢ଼ିବାରେ ଲାଗିଥିଲା । ସେ ସମାଜବାଦୀ ପାର୍ଟିର ଭୋଟ୍ ଉପରେ ନିର୍ଭରଶୀଳ ଥିବା ବେଳେ ଜେଲରେ ଥିବା ବିଏସପି ଓ ଏସପିର ଦୁଇ ଜଣ ସାଂସଦଙ୍କୁ କୋର୍ଟ ମତଦାନ ପାଇଁ ଅନୁମତି ଦେଇନଥିଲେ। ପୂର୍ବତନ ସମାଜବାଦୀ ପାର୍ଟି ନେତା ନରେଶ ଅଗ୍ରଓ୍ଵାଲ ବିଜେପିରେ ସାମିଲ ହେବା ପରେ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି ବିଧାୟକ ନୀତିନ ଅଗ୍ରଓ୍ଵାଲ ବିଜେପି ସପକ୍ଷରେ ମତଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା।