ଉତରପୂର୍ବାଞ୍ଚଳର ଆଉ ଦୁଇଟି ରାଜ୍ୟରେ ଉଡିଲା ଗେରୁଆ ବାନା! ତ୍ରିପୁରାରେ ବିଦା ହେଲେ ବାମପନ୍ଥୀ, ନାଗାଲାଣ୍ଡ ଦଖଲ କଲା ବିଜେପି ମେଣ୍ଟ । ମେଘାଳୟରେ ଝୁଲା ସରକାର

49

କନକ ବ୍ୟୁରୋ : ଉତରପୂର୍ବାଞ୍ଚଳରେ ମାଡିମାଡି ଚାଲିଛି ଗୈରିକ ବାନା । ପୁଣି ଦୁଇଟି ରାଜ୍ୟରେ ଫୁଟିଛି ପଦ୍ମ । ବିଜେପି ଶାସିତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପନିର୍ବାଚନ ହାରିବା ପରେ ମୋଦିଙ୍କ ଲୋକପ୍ରିୟତାର ପ୍ରଭାବକୁ ନେଇ ଉଠିଥିଲା ପ୍ରଶ୍ନ । ହେଲେ ତାର ଉତର ଆସିଛି ତ୍ରିପୁରା ଓ ନାଗାଲାଣ୍ଡରୁ । ତ୍ରିପୁରାରେ ୨୫ବର୍ଷର ବାମଦଳକୁ ଝଟକା ଦେଇଛି ବିଜେପି । ସେହିପରି ନାଗାଲାଣ୍ଡରେ ଶାସକ ଏନପିଏଫ୍କୁ ପଛକୁ ଠେଲି ଦେଇ ସରକାର ଗଢିବାକୁ ଯାଉଛି । ତେବେ ମେଘାଳୟରେ କାହାରିକୁ ମିଳିନାହିଁ ସଂଖ୍ୟା ଗରିଷ୍ଠତା । ତିନିଟି ରାଜ୍ୟରୁ ଯେଉଁ ଚିତ୍ର ସାମନାକୁ ଆସିଛି ତାହା ବିଜେପି ଚାଣକ୍ୟ ଅମିତ୍ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋତର ସ୍ୱପ୍ନ ସାକାର ପାଇଁ ବିଜେପିକୁ ଦମ୍ଭ ଦେଇଛି । ବିଜୟକୁ ନେଇ ମୋଦି କହିଛନ୍ତି ଶୂନ୍ୟରୁ ଯାତ୍ରା କରି ଶିଖରରେ ପହଁଚିଛନ୍ତି । ଚୋଟର ଜବାବ ଭୋଟର ଦେଇଛନ୍ତି ।

ତ୍ରିପୁରାରେ ମାଣିକ ସରକାରଙ୍କୁ ଶକ୍ତ ଧକ୍କା । ଆଉ ଏକ ପଶ୍ଚିମାଂଚଳ ରାଜ୍ୟରେ ଉଡିଲା ଗେରୁଆ ବାନା । ବାମଦଳ ହାତରୁ କ୍ଷମତା ଛଡାଇ ଆଣିଲା ଭାରତୀୟ ଜନତା ପାର୍ଟି । ଇଣ୍ଡିଜେନସ ପିପୁଲ୍ସ ଫ୍ରଂଟ ଅଫ ତ୍ରିପୁରା-ଆଇପିଏଫଟି ସହ ମେଂଟ କରି ରାଜ୍ୟରେ ପାଞ୍ଚପାଞ୍ଚଥର କ୍ଷମତା ଅକ୍ତିଆର କରିଥିବା ମାଣିକ ସରକାରଙ୍କ ବିଜୟଧାରାରେ ବ୍ରେକ ଲଗାଇଛି ବିଜେପି । ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ୫୯ଟି ଆସନରେ ନିର୍ବାଚନ ହୋଇଥିବାବେଳେ ୪୩ଟିରେ ବିଜୟଲାଭ କରିଛନ୍ତି ବିଜେପି ଓ ଏହାର ମେଂଟ ସହଯୋଗୀ । ମାତ୍ର ୧୬ଟି ଆସନରେ ବାମଦଳ ସୀମିତ ରହିଯାଇଥିବାବେଳେ ଆଦୌ ଖାତା ଖୋଲିପାରି ନାହିଁ କଂଗ୍ରେସ ।

ସେହିପରି ନାଗାଲାଣ୍ଡରେ ମଧ୍ୟ ଶାସକ ନାଗା ପିପୁଲ୍ସ ଫ୍ରଣ୍ଟ-ଏନପିଏଫକୁ ପଛରେ ପକାଇ ସରକାର ଗଢିବାକୁ ଯାଉଛି ବିଜେପି ମେଂଟ । ନିର୍ବାଚନ ପୂର୍ବରୁ ଏନପିଏଫ ସହ ମେଂଟ ଭାଙ୍ଗି ଏଠାରେ ଏନଡିପିପି ସହ ହାତ ମିଳାଇଥିଲା ଭାରତୀୟ ଜନତା ପାର୍ଟି । ୬୦ ଆସନ ବିଶିଷ୍ଟ ଲାଗାଲାଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ମେଂଟ ସହଯୋଗୀକୁ ମିଳିଛି ମ୍ୟାଜିକ ନମ୍ବର । ତ୍ରିପୁରା ଓ ନାଗାଲାଣ୍ଡ ସହ ସାରା ଦେଶରେ ୨୧ଟି ରାଜ୍ୟରେ ଉଡିଛି ଗେରୁଆ ବାନା ।

ଅନ୍ୟପଟେ ୬୦ ଆସନ ବିଶିଷ୍ଟ ମେଘାଳୟ ବିଧାନସଭା ଲାଗି ୫୯ଟି ସିଟରେ ନିର୍ବାଚନ ହେଉଥିବାବେଳେ ଏଠାରେ ଝୁଲା ସରକାର ହେବା ନିଶ୍ଚିତ । କାରଣ ମେଘାଳୟରେ କଂଗ୍ରେସ କିମ୍ବା ଏନପିପି କାହାରିକୁ ମିଳିନାହିଁ ସଂଖ୍ୟା ଗରିଷ୍ଠତା । ତେବେ ଜୋଡତୋଡ କରି ଏଠାରେ ମଧ୍ୟ ବିଜେପି କ୍ଷମତା ଅକ୍ତିଆର କରିବା ଯୋଜନାରେ ଅଛି । ମ୍ୟାଜିକ ନମ୍ବର ପାଇଁ ୩୦ ଆସନ ଆବଶ୍ୟକ ହେଉଥିବାବେଳେ ୨୧ ସିଟ ସହ ଏନପିପି ଦଳ ବିଜେପି ସାଙ୍ଗରେ ମେଂଟ କରିବାକୁ ପ୍ରସ୍ତାବ ଦେଇଛି ।