କାମ କଲାନାହିଁ ସରକାର ବିରୋଧୀ ହାୱା ! ଜିଏସଟି ଓ ବିମୁଦ୍ରାକରଣ ପରି କଡ଼ା ନିଷ୍ପତ୍ତି ବି ବଦଳାଇପାରିଲା ନାହିଁ ଜନମତକୁ , ଗୁଜରାଟରେ ବିଜେପି ପିନ୍ଧିଲା ବିଜୟ ମୁକୁଟ

29

ଲଗାତାର ଷଷ୍ଠଥର ସରକାର ଗଠିବା ପାଇଁ ଭୋଟ ଦେବାକୁ ଆହ୍ୱାନ ଦେଉଥିଲା ବିଜେପି । ଦୀର୍ଘ ୨୨ ବର୍ଷ ଧରି ୧୯୯୮ରୁ ଶାସନ ଗାଦିରେ ଥିବା ଏହି ଦଳ ପାଇଁ ସବୁଠାରୁ ବଡ ଚ୍ୟାଲେଂଜ ଥିଲା ‘ଆଂଟି ଇନକମ୍ବେନସି’ ଅର୍ଥାତ୍ ବିରୋଧୀ ହାୱାର ସାମ୍ନା କରିବା । ଯେତେବେଳେ ଗୋଟିଏ ସରକାର ଦୀର୍ଘ ସମୟ ଧରି ଶାସନ କ୍ଷମତାରେ ରହିଯାଏ, ତେବେ ସ୍ୱାଭାବିକ ଭାବେ ସେହି ଦଳ ପ୍ରତି ଏକ ବିରୋଧାଭାସ ସୃଷ୍ଟି ହୁଏ । ଏବଂ ନିର୍ବାଚନରେ ଏହା ଶାସକଦଳ ପାଇଁ ସବୁଠାରୁ ବଡ ଅଡୁଆ ସୃଷ୍ଟି କରେ । ଗୁଜରାଟରେ ମଧ୍ୟ ଏହି ଚ୍ୟାଲେଂଜର ସାମ୍ନା କରୁଥିଲା ବିଜେପି ।

‘ଆଂଟି ଇନକମ୍ବେନସି’ ଅର୍ଥାତ୍ ବିରୋଧୀ ହାୱାର ସଫଳତାର ସହ ସାମ୍ନା କରି ପୁଣି ଥରେ ସରକାର ଗଢିବା ପାଇଁ ଆବଶ୍ୟକ ସଂଖ୍ୟା ପାଇବା ବିଜେପି ଏବଂ ମୋଦିଙ୍କ ପାଇଁ ନିଶ୍ଚୟ ଏକ ଖୁସି ଖବର । କେବଳ ଆଂଟି ଇନକମ୍ବେନ୍ସି ନୁହେଁ, ଏହି ନିର୍ବାଚନରେ ମୋଦିଙ୍କ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ପରୀକ୍ଷା ବି ଥିଲା । ସେ ଦୁଇଟି ହେଉଛି, ବିମୁଦ୍ରାୟନ ଓ ଜିଏସଟି ଲାଗୁ କରିବାର ନିଷ୍ପତ୍ତି ।

ପ୍ରଥମେ ପ୍ରଥମେ ଲୋକଙ୍କୁ ଆମୋଦିତ କରିଥିବା ମୋଦିଙ୍କ ଏହି ନିଷ୍ପତ୍ତି, ପରେ ପରେ ସରକାରଙ୍କ ପାଇଁ କଂଟା ପାଲଟିଗଲା । ଯେତେବେଳେ କଳାଟଙ୍କାର କୌଣସି ସୁରାକ୍ ମିଳିଲା ନାହିଁ ଏବଂ ଯେଉଁ ଉଦ୍ଦେଶ୍ୟରେ ସରକାର ଏହି ନିଷ୍ପତ୍ତି ନେଇଥିଲେ ସେଭଳି ଉଦ୍ଦେଶ୍ୟ ସାଧନ ହେଲା ନାହିଁ ସେତେବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଠିଆ ହେଲା । ଆଉ ଗୁଜରାଟ ନିର୍ବାଚନ ଏହାର ଏକ ପରୀକ୍ଷା ଥିଲା କହିଲେ ଭୁଲ ହେବ ନାହିଁ । ଏବଂ ମୋଦି ସେଥିରେ ପାସ୍ କରିଗଲେ ।

ଠିକ୍ ବିମୁଦ୍ରାୟନ ପରି ଜିଏସଟି ଲାଗୁ ପରେ ଗୁଜରାଟର ବ୍ୟବସାୟୀ ବର୍ଗ ସରକାରୀ ଟିକସ୍ ଫାଇଲ୍ ଜାଲରେ ଛନ୍ଦି ହୋଇଗଲେ । କିନ୍ତୁ ଏହି ଫଳାଫଳ ଦର୍ଶାଉଛି, ଯେ ବ୍ୟବସାୟୀବର୍ଗ ବି ମୋଦିଙ୍କୁ ମାଫ୍ କରିଦେଇଛନ୍ତି ।