ବାଜି ମାରିନେଲା ବିଜେପି ! ଉତ୍ତରପ୍ରଦେଶର ୧୬ଟି ମ୍ୟୁନିସପାଲଟି ଭିତରୁ ୧୪ଟିରେ ଉଡିଲା ଗେରୁଆ ବାନା, ଧର୍ମଗୁଳା ବି ଦେଲା ସାଥ

27

ଉତରପ୍ରଦେଶର ମହାନଗରନିଗମ ଓ ସ୍ଥାନୀୟ ନିର୍ବାର୍ଚନରେ ବିଜେପିର ବଡ ବିଜୟ । ଟ୍ରେଣ୍ଡ ଅନୁସାରେ ଅଧିକାଂଶ ନଗର ନିଗମରେ ବିଜେପି ହାତେଇଥିବା ସୂଚନା ମିଳିଛି । ବିଏସପି ପ୍ରତ୍ୟାବର୍ତନ କରିଥିବାବେଳେ ସମାଜବାଦୀ ପାର୍ଟି ବହୁ ପଛରେ ପଡିଛି । ରାଜ୍ୟର ୧୬ଟି ନଗର ନିଗମ ମଧ୍ୟରୁ ବିଜେପି ୧୪ଟିରେ ଆଗୁଆ ରହିଛି । ଗତ ବିଧାନସଭା ନିର୍ବାଚନରେ ବିଏସପି ଖରାପ ପ୍ରଦର୍ଶନ କରିଥିଲା । କିନ୍ତୁ ମହାନଗର ନିଗମ ନିର୍ବାଚନରେ ଦଳ ଏକପ୍ରକାର ପ୍ରତ୍ୟାବର୍ତନ କରିଛି । ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଥିବାବେଳେ କଂଗ୍ରେସ ଖାତା ବି ଖୋଲିପାରିନାହିଁ । ଆହ୍ଲାବାଦ, ମଥୁରା, ଅଯୋଧ୍ୟା, ମୀରଠ, ବାରଣାସୀ ଓ ଗୋରଖପୁରରେ ବିଜେପି ଆଗୁଆ ଥିବାବେଳେ ଝାନସୀ, ସାହାରନପୁର, ଅଲ୍ଲୀଗଡ ଓ ପିରୋଜାବାଦରେ ବିଏସପି ଆଗରେ ରହିଛି ।

yogi-interview647_120117084314ଜିଏସଟି ଲାଗୁ ହେବା ପରେ ୟୁପିରେ ଏହା ହେଉଛି ପ୍ରଥମ ନିର୍ବାଚନ । ଏହି ନିର୍ବାଚନକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଗ୍ନିପରୀକ୍ଷା ବୋଲି ବି କୁହାଯାଉଛି । ଏହି ନିର୍ବାଚନ ଗୁଜରାଟ ବିଧାନସଭା ନିର୍ବାଚନ ଉପରେ ବି ପ୍ରଭାବ ପକାଇବ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି । ତେବେ ଗୁଜରାଟ ନିର୍ବାଚନ ପୂର୍ବରୁ ୟୁପିର ଫଳାଫଳ ବିଜେପି ପାଇଁ ସଂଜିବନୀ ସାବ୍ୟସ୍ତ ହୋଇଛି । ଗୁଜରାଟ ନିର୍ବାଚନ ଏବେ ବିଜେପି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ଏହି ଫଳାଫଳ ଗୁଜରାଟ ନିର୍ବାଚନ ଉପରେ ନିଶ୍ଚୟ ପ୍ରଭାବ ପକାଇବ ବୋଲି କିଛି ରାଜନୈତିକ ସମୀକ୍ଷକ ଆକଳନ କରିଛନ୍ତି । ୟୁପିର ଏହି ନିର୍ବାଚନ କିନ୍ତୁ ଯୋଗୀଙ୍କ ପାଇଁ ଏସିଡି ଟେଷ୍ଟ ସଦୃଶ ଥିଲା । ଯାହାକୁ ପାସ କରି ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି ଯୋଗୀ ।

ଅଯୋଧ୍ୟା ଓ ମଥୁରା ନଗର ନିଗମରେ ବି ବିଜେପି ଆଗୁଆ ରହିଛି । ଏହି ଦୁଇ ନଗର ନିଗମ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା । ରାଜ୍ୟରେ ବିଜେପି ବଡ ବିଜୟ ଆଡକୁ ଅଗ୍ରସର ହୋଇଥିବାବେଳେ ଭାଗ୍ୟ ବି ବିଜେପିର ସାଥ ଦେଇଛି । ଫଳାଫଳ ଟାଇ ହେବା ପରେ ଲକି ଡ୍ରରେ ଜିତିଛନ୍ତି ବିଜେପି ପ୍ରାର୍ଥୀ । ମଥୁରାର ୱାର୍ଡ ନଂ ୫୬ରେ ଫଳାଫଳ ଟାଇ ହୋଇଥିଲା । ଆଉ ଲକି ଡ୍ରରେ ଜିତିଛନ୍ତି ବିଜେପି ପ୍ରାର୍ଥୀ । ଏଠାରେ ବିଜେପିର ମୀରା ଅଗ୍ରୱାଲ ଓ କଂଗ୍ରେସ ପ୍ରାର୍ଥୀ ଉଭୟେ ୮୭୪ ଖଣ୍ଡ ଲେଖାଁଏ ଭୋଟ ପାଇଥିଲେ । ଫଳାଫଳ ଟାଇ ହୋଇଥିଲା । ପରେ ଉଭୟ ପ୍ରାର୍ଥୀ ଧର୍ମଗୁଳା ପାଇଁ ରାଜି ହୋଇଥିଲେ । ଶେଷରେ ଲକି ଡ୍ରରେ ଜିତିଥିଲେ ବିଜେପି ପ୍ରାର୍ଥୀ । ଜିଲ୍ଲାପାଳ ଏହି ଲକି ଡ୍ର କରିଥିଲେ । ଏହା ପରେ ବିଜେପି ମହଲରେ ଖୁସିର ଲହରୀ ଖେଳିଯାଇଥିଲା ।