କାଲି ଠାରୁ ସରକାରଙ୍କ ବିରୋଧରେ ଗର୍ଜିବ ବିଜେପି । ରାଜ୍ୟବ୍ୟାପୀ ବ୍ଲକ ଅଫିସ୍ ଘେରାଉ କରି ଜଣାଇବ ପ୍ରତିବାଦ୍ । ବିଜେଡ଼ିର ଜବାବ୍ ରାଜନୀତି କରୁଛି ବିଜେପି ।

50

କନକ ବ୍ୟୁରୋ: କାଲିଠାରୁ ବିଜେପିର ବ୍ଲକ ଘେରାଉ ଅଭିଯାନ । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ବିରୋଧରେ ବିଜେପି ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କାଲିଠାରୁ ଦଳ ପକ୍ଷରୁ ସମସ୍ତ ବ୍ଲକ୍ ଅଫିସ୍ ଘେରାଉ କରାଯିବ। ୨୭, ୨୯ ଓ ୩୦ ତାରିଖରେ ପର୍ଯ୍ୟାୟକ୍ରମେ ଏହି ଘେରାଉ କରାଯିବ ।

ତେବେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର  । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଚିଟଫଣ୍ଡ୍, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିକୁ ପ୍ରସଙ୍ଗ କରିବ ବିଜେପି । ଏହାସହ କୃଷି ଋଣ ଜାଲିଆତି, ଧାନ କିଣାରେ ଚଞ୍ଚକତା କରି ସହାୟକ ମୂଲ୍ୟ ନ ଦେବା, ଇନ୍ପୁଟ୍ ସବ୍ସିଡିର ବାଟମାରଣା କରିବା ଓଡ଼ିଆ ଚାଷୀଙ୍କୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର ଏବଂ ଏହାର ଦୃଢ଼ ପ୍ରତିବାଦ କରିବ ବିଜେପି ବୋଲି କହିଛନ୍ତି ଭୃଗୁ । ଅନ୍ୟପଟେ ‘ଆମ ଗାଁ ଆମ ବିକାଶ’ରେ ଏବେ ସରକାରୀ ପାଣ୍ଠି ବିଜେଡିର ଦଲାଲ, ଠିକାଦାରଙ୍କ ବିକାଶରେ ଲାଗୁଛି । ସେହିପରି ଗ୍ରାମସଭା, ପଲ୍ଲୀସଭା, ସରପଞ୍ଚ ଓ ସମିତି ସଭ୍ୟଙ୍କ ଅଧିକାର ଛଡ଼ାଇ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କ ଚିଠାରେ କାମ ବଣ୍ଟାଯାଉଛି । ବିନା ଟେଣ୍ଡର୍ରେ ହେଉଥିବା କାମର ଟଙ୍କାକୁ ବିଜେଡି ନେତା ଓ କର୍ମୀ ଖାଇଯାଉଛନ୍ତି । ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ନାଁ ସାର୍ବଜନୀନ ନ କରି ଦଳୀୟ କର୍ମୀଙ୍କୁ ସରକାରୀ ଅର୍ଥର ଲାଭ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯାଉଛି। ୧୯ ବର୍ଷର ବିଜେଡି ସରକାରରେ ପିସିରେ ଓଡ଼ିଆମାନେ ପେଶି ହୋଇଗଲେଣି। ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ ଓ କର୍ମୀ ସାଧାରଣ ଓଡ଼ିଆଙ୍କ ଝାଳବୁହା ଅର୍ଥର ଟିକସକୁ ବାଟମାରଣା କରୁଛନ୍ତି। ତେଣୁ ଏ ସବୁ ବିରୋଧରେ ରାଜ୍ୟବ୍ୟାପୀ ସବୁ ବ୍ଲକ୍ରେ ଦଳର କର୍ମୀମାନେ  ବିକ୍ଷୋଭ ପ୍ରଦର୍ଶନ କରିବେ।

bjp and bjdସେପଟେ ବିଜେଡ଼ି ମଧ୍ୟ ଏହାର ଜବାବ ରଖିଛି । ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି ଯେ, ନିର୍ବାଚନକୁ ଆଉ କେଇ ମାସ ବାକି ରହିଛି ତେଣୁ ବିଜେପି ନିଜ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କରୁଛି । ଯଦି ସତରେ ଓଡ଼ିଶା ପ୍ରତି ତାଙ୍କର ଦରଦ ଥାଆନ୍ତା ତେବେ ରାଜ୍ୟକୁ କେନ୍ଦ୍ର ଅବହେଳା କରୁଥିବା ପ୍ରସଙ୍ଗ ମଧ୍ୟ ଉଠାଇଥାନ୍ତେ । ବିଜେପିର କେବଳ ଏହା କୁମ୍ଭୀର କାନ୍ଦଣା ସଦୃଶ । ଏହାର କିଛି ପ୍ରଭାବ ନବୀନ ସରକାରଙ୍କ ଉପରେ ପଡ଼ିବ ନାହିଁ ବୋଲି ସସ୍ମିତ୍ କହିଛନ୍ତି ।