ଏମରଜେନ୍ସି ନୁହେଁ କଳା ଦିବସ ! ୧୯୭୫କୁ ଏବେ ବିରୋଧ, ଜୁନ ୨୫କୁ ‘କଳା ଦିବସ’ ଭାବେ ପାଳିବ ବିଜେପି ।

32

ଆସନ୍ତା ଜୁନ ମାସ ୨୫ ତାରିଖ ଦିନ ଦେଶବ୍ୟାପୀ କଳା ଦିବସ ପାଳିବ ଭାରତୀୟ ଜନତା ପାର୍ଟି । ୧୯୭୫ ମସିହା ଜୁନ ୨୫ରେ କଂଗ୍ରେସ ସରକାର ଲାଗୁ କରିଥିବା ଏମରଜେନ୍ସିକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ କଳା ଦିବସ ଭାବେ ପାଳନ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଯେ, ୧୯୭୫ ମସିହା ଜୁନ ୨୫ ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଏମରଜେନ୍ସି ଲାଗୁ କରିଥିଲେ । ଯାହାଦ୍ୱାରା ଦେଶରେ ନିରୀହ ଲୋକମାନଙ୍କୁ ଗିରଫ କରାଯାଇଥିଲା । ଏପରିକି ଦିଲ୍ଲୀ ବାହାଦୁର ଶାହ ଜାଫର ମାର୍ଗ ଠାରେ ଥିବା ସମ୍ବାଦପତ୍ରିକା କାର୍ଯ୍ୟାଳୟର ବିଜୁଳି କାଟ କରାଯାଇଥିଲା । ଖୋଲାଖୋଲି ଭାବେ ଗଣମାଧ୍ୟମର କଣ୍ଠରୋଧ କରିବା ସହ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଉପରେ ରୋକ୍ ଲଗାଇଥିଲେ ଇନ୍ଦିରା ଗାନ୍ଧୀ ସରକାର ।

ଆସନ୍ତା ଜୁନ ୨୫ରେ ବିଜେପି ପାଳିବାକୁ ଥିବା ଏହି କଳା ଦିବସରେ ୨୫ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଅନ୍ୟ ବରିଷ୍ଠ ବିଜେପି ନେତାମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ବିଜେପି କେନ୍ଦ୍ରମନ୍ତ୍ରୀ, ବରିଷ୍ଠ ବିଜେପି ନେତାମାନେ ଦଳୀୟକର୍ମୀ ଓ ସାଧାରଣ ଲୋକଙ୍କୁ ୧୯୭୫ ମସିହା ଏମରଜେନ୍ସି ବିଷୟରେ ହୋଇଥିବା ଗଣତନ୍ତ୍ରର ହତ୍ୟା, ଲୋକମାନଙ୍କ ଉପରେ ଅତ୍ୟାଚାର, ନ୍ୟାୟପାଳିକା ଠାରୁ ଆରମ୍ଭ କରି ଗଣମାଧ୍ୟମ ଉପରେ ରୋକ ବିଷୟରେ ଅବଗତ କରାଇବେ ।

୨୫ ତାରିଖ ମଧ୍ୟରାତ୍ରିରେ ଏମରଜେନ୍ସି ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ଦସ୍ତଖତ ନେଇଥିଲେ ଇନ୍ଦିରା ଗାନ୍ଧୀ । ଏବଂ ସକାଳୁ ଦେଶବାସୀଙ୍କୁ ରେଡିଓ ଦ୍ୱାରା ଅବଗତ କରାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ହେଲେ ଦେଶର ୧ଲକ୍ଷ ୧୧ହଜାର ଲୋକଙ୍କୁ ଜେଲ ଦଣ୍ଡାଦେଶ ହୋଇଥିବା ଘଟଣାରେ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଥିଲା । ସାମ୍ବିଧାନିକ ଧାରା ୩୫୨ ଅଧିନିୟମ ଅନୁସାରେ ୨୬ ଜୁନ ୧୯୭୫ ଠାରୁ ୧୯୭୭ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିଥିଲା ।