ଆଜିଠୁ ବିଜେପିର ‘ବିଜୟ ସଙ୍କଳ୍ପ ସଭା’ ଆରମ୍ଭ

80

କନକ ବ୍ୟୁରୋ: ଆଗାମୀ ଲୋକସଭା ନିର୍ବାଚନ ଲାଗି ଆଜି ଭାରତୀୟ ଜନତା ପାର୍ଟି ଆରମ୍ଭ କରୁଛି ପ୍ରଚାର ଅଭିଯାନ ‘ବିଜୟ ସଙ୍କଳ୍ପ ସଭା’। ଗତକାଲି ସଂଖ୍ୟାଲଘୁ ବ୍ୟାପାରର କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଆବ୍ବାସ୍ ନକଓ୍ଵି କହିଛନ୍ତି ଯେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଆଜି ଓ ମଙ୍ଗଳବାର ଦିନ ଦେଶର ବିଭିନ୍ନ ଲୋକସଭା ନିର୍ବାଚନ ମଣ୍ଡଳୀରେ ‘ବିଜୟ ସଙ୍କଳ୍ପ ସଭା’ରେ ଉଦବୋଧନ ଦେବେ।

‘ବିଜୟ ସଙ୍କଳ୍ପ ସଭା’ ଜରିଆରେ ବିଜେପି ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସମୃଦ୍ଧି, ସମ୍ମାନ ଏବଂ ନିରାପତ୍ତା ପାଇଁ କରାଯାଇଥିବା କାମ ବିଷୟରେ ସୂଚନା ଦେବ। ଆଜି ଶାହା ଆଗ୍ରା ଠାରେ ଏକ ରାଲିରେ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌ ଠାରେ ପ୍ରଚାର ଅଭିଯାନ ସଭାରେ, କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ନାଗପୁର ଠାରେ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗୌତମ ବୁଦ୍ଧ ନଗର ଠାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ।

ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟନାରେ ଏକ ସଭାରେ ଉଦବୋଧନ ଦେବେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ସମ୍ଭାଲ ଠାରେ, କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ୍ ବରେଲି ଠାରେ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଭିଲଓ୍ଵାରା ଠାରେ, କେନ୍ଦ୍ର ମନ୍ତ୍ରୀ ଥଓ୍ଵାର୍ଚାନ୍ଦ ଗେହଲୋଟ ଉଜ୍ଜୟିନୀ ଠାରେ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ।

ରବିବାର ଦିନ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୋଆଲିଅର୍ ଠାରେ ଏକ ରାଲିରେ, କେନ୍ଦ୍ର ବୟନ ମନ୍ତ୍ରୀ ସ୍ମୃତି ଇରାନୀ କାନପୁର ଠାରେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ହାଇଦ୍ରାବାଦ ଠାରେ, କେନ୍ଦ୍ରମନ୍ତ୍ରୀ ମୁଖ୍ତାର ଆବ୍ବାସ୍ ନକ୍ଓ୍ଵି ରାମପୁର ଠାରେ, ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭୋପାଳ ଠାରେ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଗ୍ରା ଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ।

ମଙ୍ଗଳବାର ଦିନ ଅମିତ ଶାହା ମୋରାଦାବାଦ, ରାଜନାଥ ସିଂହ ଦିଲ୍ଲୀ, ସୁଷମା ସ୍ୱରାଜ ଗାଜିଆବାଦ, ରବି ଶଙ୍କର ପ୍ରସାଦ ପଶ୍ଚିମବଙ୍ଗ, ଜେପି ନଡ୍ଡା ଶାହାଜହାନପୁର ଏବଂ ପୀୟୂଷ ଗୋୟଲ୍ ତାମିଲନାଡୁ ଠାରେ ନିର୍ବାଚନୀ ରାଲିରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଦିନ ପୁଣେ ଠାରେ ପ୍ରକାଶ ଜାଭଡେକର, ତେହରି ଘରଓ୍ଵାଲ୍ ଠାରେ ଥଓ୍ଵାରଚାନ୍ଦ ଗେହଲଟ୍, ବାଲେଶ୍ୱରରେ ଧର୍ମେନ୍ଦ୍ର ପ୍ରଧାନ, ମୁରୈନାରେ ନରେନ୍ଦ୍ର ସିଂହ ତୋମାର, ଭଦୋହି-ଜୁଆନପୁରରେ ସ୍ମୃତି ଇରାନୀ, ଉଡ୍ଡୁପିରେ ନିର୍ମଳା ସୀତାରମଣ, ଆମରୋହରେ ମୁଖତାର ଆବ୍ବାସ୍ ନକଓ୍ଵି, ପୁରୀରେ ଶିବରାଜ ସିଂହ ଚୌହାନ ଏବଂ ବାରାଣସୀ ଓ ଗାନ୍ଧୀନଗର ଠରେ ଯୋଗୀ ଆଦିତ୍ୟନାଥ ସମ୍ଭାଷଣ ଦେବେ।

Comments are closed.