ପୁଣି ନବୀନଙ୍କ ସମଦୁରତ୍ୱ ଫର୍ମୁଲା । ଅନାସ୍ଥା ଆଲୋଚନାରେ ଭାଗ ନେଲା ନାହିଁ ବିଜେଡି, କହିଲା, ୧୪ ବର୍ଷ ଧରି କେନ୍ଦ୍ର ଅବହେଳାର ଶିକାର ହୋଇଛି ଓଡିଶା

36

କନକ ବ୍ୟୁରୋ : ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିର ଆଭିମୁଖ୍ୟ କଣ ରହିବ ତାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଥିଲା । ତେବେ ଆଲୋଚନାରେ ଭାଗ ନନେଇ କକ୍ଷତ୍ୟାଗ କରିବାକୁ ନିଷ୍ପତି ନେଇଥିଲେ ବିଜେଡି ସାଂସଦ । ଆଉ ବିଜେଡିର ଏଭଳି ନିଷ୍ପତିକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତୃହରି ମହତାବଙ୍କ ବକ୍ତବ୍ୟ ସହ ସ୍ପଷ୍ଟ ହୋଇଯାଇଥିଲା ବିଜୁ ଜନତା ଦଳର ଆଭିମୁଖ୍ୟ । କେନ୍ଦ୍ରରେ ୟୁପିଏ ସରକାରଙ୍କ ୧୦ବର୍ଷ ଓ ଏନଡିଏ ସରକାରଙ୍କ ୪ବର୍ଷ ଶାସନରେ ଓଡିଶକୁ ଉପେକ୍ଷା କରାଯାଇଛି । ତେଣୁ ଗୃହରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିଜେଡିର ବିଶେଷ କିଛି ଫାଇଦା ହେବନାହିଁ । ଯେଉଁଥିପାଇଁ ବିଜେଡି କକ୍ଷ୍ୟ ତ୍ୟାଗ କରିଛି । ବିଜେଡିର ଏହି ପଦକ୍ଷେପ ସହ ସବୁ କଳ୍ପନା ଜଳ୍ପନାର ଅନ୍ତ ହୋଇଥିଲା । କାରଣ ମୋଦି ସରକାରଙ୍କ ବିରୋଧରେ ବୁଧବାର ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବା ଦିନରୁ ଚର୍ଚ୍ଚା ଲାଗି ରହିଥିଲା ଯେ, ବିଜେଡି କେଉଁ ଆଡକୁ ଢଳିବ? ମୋଦି ବିରୋଧୀ ମେଂଟରେ ରହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ମତଦେବ ? ନା ଅନାସ୍ଥା ବିରୋଧରେ ଭୋଟ ଦେଇ ମୋଦି ସରକାରଙ୍କୁ ସମର୍ଥନ ଜଣାଇବ? ହେଲେ ପୁଣିଥରେ ବିଜେପି ଓ କଂଗ୍ରେସଠାରୁ ସମଦୂରତାର ମେସେଜ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

naveenବାପା ବିଜୁ ପଟ୍ଟନାୟକଙ୍କ ସମୟରେ ରାଜନୀତିର ଧାର ଧରିନଥିବା ନବୀନ, ଓଡିଶା ରାଜନୀତିରେ ପ୍ରବେଶ କରିବା ଦିନରୁ ଗୋଟିଏ ପରେ ଗୋଟିଏ ନିର୍ବାଚନୀ ବୈତରଣୀ ଜିତି ନିଜ ରାଜନୈତିକ ପରିପକ୍ୱତାର ବାରମ୍ବାର ପ୍ରମାଣ ଦେଇଆସିଛନ୍ତି । ଆଉ ୨୦୦୯ରେ ବିଜେପିଠାରୁ ସଂପର୍କ ଛିନ୍ନ କରିବା ପରେ ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତାର ରଣନୀତି ଅବ୍ୟାହତ ରଖିିଛନ୍ତି । ଯେତେବେଳେ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ତତକ୍ଷଣାତ ସମର୍ଥନ ଜଣାଇଥିଲେ ନବୀନ, ସେତେବେଳେ ଚର୍ଚ୍ଚା ଜୋର ଧରିଥିଲା ଯେ, ହୁଏତି ବିଜେପି ଆଡକୁ ଢଳୁଛି ବିଜେଡି । ହେଲେ ପୁଣି ଉପରାଷ୍ଟ୍ରପତି ନିର୍ବାଚନରେ ଅଣବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଲେ ବିଜେଡି ସୁପ୍ରିମୋ । ଯାହା ଜାତୀୟ ରାଜନୀତିରେ ନବୀନଙ୍କ ଗୁରୁତ୍ୱ ବଢାଇ ଦେଇଥିବା କୁହାଯାଏ ।

ବିମୁଦ୍ରାୟନ, ଜିଏସଟି ଏବଂ ଏକକ ନିର୍ବାଚନ ପରି ଜାତୀୟ ରାଜନୀତିକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଜଣାଇଛି ବିଜେଡି । ହେଲେ ମହାନଦୀ, ପୋଲାଭରମ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଆୟୁଷମାନ ଭାରତ ଓ ଆକାଂକ୍ଷୀ ଜିଲ୍ଲା ଯୋଜନା ପ୍ରସଙ୍ଗରେ ଓଡିଶାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରି କେନ୍ଦ୍ରରେ ବିଜେପି ସରକାରକୁ ବାରମ୍ବାର ଟାର୍ଗେଟ କରିଆସିଛି । ଯାହା ବିଜେପି-ବିଜେଡି ସମୀକରଣକୁ ନେଇ ବଡ ଦ୍ୱନ୍ଦ୍ୱ ତିଆରି କରିଛି । ତେଣୁ ବିଶେଷଜ୍ଞଙ୍କ ମତରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନାରେ ଭାଗନେଇ ବିଜେଡି ଏସବୁ ପ୍ରସଙ୍ଗ ଉଠାଇବା ଜରୁରୀ ଥିଲା ।

ଓଡଶାର ଦାବି ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା ବାଦ ଅନେକ ଜାତୀୟ ପ୍ରସଙ୍ଗରେ ମଧ୍ୟ ଅନାସ୍ଥା ଆଲୋଚନାରେ ଭାଗନେଇ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିବା ଜରୁରୀ ଥିଲା । ହେଲେ ଅନାସ୍ଥା ସପକ୍ଷରେ ବା ବିପକ୍ଷରେ ଯିବାରେ ବିଜେଡି ଆଗରେ ଦୁଇଟି ସମସ୍ୟା ରହିଥିଲା ।

– ଯେହେତୁ ଟିଡିପି ଅନାସ୍ଥା ପ୍ରସ୍ତାବ ଆଣିଥିଲା ଏବଂ ଆନ୍ଧ୍ରରେ ଟିଡିପି ସହିତ ପୋଲାଭରମକୁ ନେଇ ବିଜେଡିର ବିବାଦ ରହିଆସିଛି । ତେଣୁ ପ୍ରସ୍ତାବକୁ ସମର୍ଥନ କରିବାର ଅର୍ଥ ପୋଲାଭରମ ମାମଲାରେ ବିଜେଡି ବ୍ୟାକଫୁଟରେ ରହିବ ।
– ପ୍ରସ୍ତାବ ବିରୋଧରେ ବିଜେଡି ଭୋଟ ଦେବା ଅର୍ଥ ସିଧା ସଳଖ ସାମ୍ନାକୁ ଆସିବ ଯେ, ବିଜେପି ସମର୍ଥନରେ ରହିଛି ବିଜେଡି । ୨୦୧୯ ପାଇଁ ବିଜେପି-ବିଜେଡି ଭିତରେ ସିଧାସଳଖ ଲଢେଇ ଚାଲିଛି । ତେଣୁ ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ ଦେଇ ରିସ୍କ ନେବାକୁ ଚାହିଁଁନାହାନ୍ତି ବିଜେଡି ସୁପ୍ରିମୋ ।