ବିଜେପି ନେତାଙ୍କ ବଡ଼ ବୟାନ । କାମ ଦେଉନି ମୋଦି-ଶାହାଙ୍କ ଗଣିତ, ଶିବରାଜଙ୍କୁ ଦଳର ଅଧ୍ୟକ୍ଷ ଓ ଗଡ଼କରୀଙ୍କୁ ମିଳୁ ଉପ-ପ୍ରଧାନମନ୍ତ୍ରୀ ଦାୟିତ୍ୱ ।

ଗଡ଼କରୀଙ୍କୁ ଉପ-ପ୍ରଧାନମନ୍ତ୍ରୀ ଓ ଶିବରାଜଙ୍କୁ ଦିଆଯାଉ ବିଜେପି ଅଧ୍ୟକ୍ଷ ଦାୟିତ୍ୱ: ସଂଘପ୍ରିୟ ଗୌତମ

414

କନକ ବ୍ୟୁରୋ: ଧିରେ ଧିରେ ପଦ୍ମ ଫୁଲରୁ ପାଖୁଡ଼ା ଖସିଲା ଭଳି ଗୋଟିଏ ପରେ ଗୋଟିଏ ରାଜ୍ୟର ଶାସନ ଡ଼ୋରୀ ବିଜେପି ହାତରୁ ଖସିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ବିଜେପି କ୍ୟାମ୍ପରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଲାଣି । ବିଜେପି ନେତାଙ୍କୁ ନାପସନ୍ଦ ମୋଦି-ଶାହାଙ୍କ ଯୋଡ଼ି । ସେଥିପାଇଁ ଶିବରାଜ ସିଂହ ଚୌହ୍ୱାନଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ନିତିନ ଗଡ଼କରୀଙ୍କୁ ଉପ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ବିଜେପି ହେଭିୱେଟ ନେତା ସଂଘପ୍ରିୟ ଗୌତମ କହିଛନ୍ତି ।

ଗତ ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ହାରିବା ପରେ ଦଳକୁ ଏବେ ଉପଦେଶ ମିଳିବା ଆରମ୍ଭ ହୋଇ ଗଲାଣି । ତେବେ ଏହାରି ମଧ୍ୟରେ ସକ୍ରିୟ ରାଜନୀତିରୁ ଦୂରରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ନେତା ସଙ୍ଘପ୍ରିୟ ଗୌତମ କହିଛନ୍ତି କି, ବିଜେପିକୁ ୨୦୧୯ରେ ଶାସନରେ ପ୍ରତ୍ୟାବର୍ତନ କରିବା ପାଇଁ ନିଜ କାର୍ୟ୍ୟକଳାପରେ ପରିବର୍ତନ କରିବାକୁ ପଡିବ । ଦଳ ଶାସନରେ ଆସିବା ମୁସ୍କିଲ ହୋଇ ଗଲାଣି । ବିଧାନସଭା ନିର୍ବାଚନରେ ହାରିବା ପରେ ଏବେ ମୋଦୀ ଏବଂ ଶାହାଙ୍କର ଯାଦୁ ଚାଲିବ ନାହିଁ । ତେଣୁ ଏବେ ଶିବରାଜ ସିଂହ ଚୌହ୍ୱାନଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ନିତିନଙ୍କୁ ଉପ ପ୍ରଧାନମନ୍ତ୍ରୀ କରାଯାଉ ବୋଲି ଗୌତମ ଏକ ପତ୍ର ଲେଖି କହିଛନ୍ତି । ଯାହା ଏବେ ଦିଲ୍ଲୀ ଦରବାରରୁ ରାଜ୍ୟ ବିଜେପି ଶିବିର ପର୍ଯ୍ୟନ୍ତ ଅସନ୍ତୋଷର ନିଆଁ କୁହୁଳିବାକୁ ଖୋରାକ ଯୋଗାଇଛି ।

କେବଳ ଏତିକି ନୁହେଁ ଯୋଜନା ଆୟୋଗର ନାମ ପରିବର୍ତନ କରିବା, ସିବିଆଇ ଏବଂ ଆରବିଆଇର କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଘଟଣା ଏବଂ ଉତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ଗୌତମ । ଦେଶର ଯୁବକ, କୃଷକ ଏବଂ ଜନତାଙ୍କୁ କରିଥିବା ପ୍ରତିଜ୍ଞାରେ ବିଜେପି ବିଫଳ ହୋଇଥିବା କଥା ସେ କହିଛନ୍ତି । ଏଭଳି ସ୍ଥିତିରେ ବିଜେପିର ବରିଷ୍ଠ ନେତାଙ୍କ ବୟାନ ଆଗକୁ ଆସୁଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି ।