ରାହୁଲଙ୍କ ପିଛା ଛାଡୁନାହାନ୍ତି ସ୍ମୃତି ! କଂଗ୍ରେସ ଅଧ୍ୟକ୍ଷଙ୍କୁ କଡା ଟକ୍କର ଦେବାକୁ କେରଳ ୱାଇନାଡ ସିଟରୁ ମଧ୍ୟ ଲଢିବେ ସ୍ମୃତି ଇରାନୀ ।

524

କନକ ବ୍ୟୁରୋ : ଆମେଠି ବ୍ୟତୀତ କେରଳ ୱାଇନାଡ୍ ଲୋକସଭା ସିଟରୁ ରାହୁଲ ଗାନ୍ଧୀ ଲଢ଼ିବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଏବେ ସରଗରମ ହୋଇଛି ରାଜନୀତି । ଏହି ଆସନରୁ ସ୍ମୃତି ଇରାନୀ ମଧ୍ୟ ଲଢିବେ ବୋଲି ଏକ ପ୍ରକାର ନିଶ୍ଚିତ ହୋଇସାରିଛି । ତେବେ ସବୁଠାରୁ ବଡ କଥା ହେଉଛି ୱାଇନାଡ୍ ଲୋକସଭା ସିଟରୁ ରାହୁଲ ଲଢିବା ନେଇ ଚର୍ଚ୍ଚା ହେବା ପରେ, ଟ୍ୱିଟ୍ କରି ରାହୁଲଙ୍କୁ ଡରୁଆ ଓ ପଳାତକ ବୋଲି କହିଛନ୍ତି ସ୍ମୃତି ଇରାନୀ ।

ମିଳିଥିବା ସୂଚନା ଅନୁସାରେ ସ୍ମୃତି ଇରାନୀ ମଧ୍ୟ ଆମେଠି ସହିତ ୱାଇନାଡ୍ ଆସନରୁ ଲଢିପାରନ୍ତି । ପୂର୍ବରୁ ଏହି ଆସନରେ ବିଜେପିର ସହଯୋଗୀ ଦଳ ବିଡିଜେଏସର ପ୍ରାର୍ଥୀ ଆଣ୍ଟୋ ଅଗଷ୍ଟାଇନଙ୍କୁ ଦିଆଯାଇଥିଲା । ଏବେ ରାହୁଲ ଗାନ୍ଧି ଏଠାରୁ ଲଢିବା ସ୍ଥିର ହୋଇଥିବାରୁ ଏହି ଆସନରୁ ଅଗଷ୍ଟାଇନଙ୍କୁ ବଦଳାଇ ଇରାନୀଙ୍କୁ ଛିଡା କରାଯିବ, ଯେପରିକି ଏଠାରେ କଡ଼ା ଟକ୍କର ହୋଇପାରିବ । ତେବେ ଏସଂପର୍କରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।

ରାହୁଲ ୨ଟି ଆସନରୁ ଲଢିବା ନେଇ ଗତକାଲି ସୂଚନା ଦେଇଥିଲେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ମହାସଚିବ ଓମେନ ଚାଣ୍ଡି । ଦକ୍ଷିଣ ଭାରତର ୪ଟି ରାଜ୍ୟ ଆନ୍ଧ୍ର, ତାମିଲନାଡ଼ୁ, କର୍ଣ୍ଣାଟକ ଓ କେରଳରେ ଦଳକୁ ମଜବୁତ କରିବା ପାଇଁ ରାହୁଲ ଏହି ନିଷ୍ପତି ନେଇ ପାରନ୍ତି । କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଦିନେଶ ଗୁଂଡ଼ୁ ରାଓ କେରଳରୁ ନିର୍ବାଚନ ଲଢ଼ିବା ନେଇ ରାହୁଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଅନ୍ୟପଟେ ଚଳିତ ଥର ଆମେଥିରୁ ଜିତିବା ରାହୁଲଙ୍କ ପାଇଁ ସେତେଟା ସହଜ ହେବନାହିଁ ବୋଲି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି । ଗତ ନିର୍ବାଚନରେ ଆମେଥିରେ ରାହୁଲ ଗାନ୍ଧୀଙ୍କୁ କଡ଼ା ଟକର ଦେଇଥିଲେ ସ୍ମୃତି ଇରାନି ।