ସଂସଦରେ ବିଜେଡିର ଆଭିମୁଖ୍ୟକୁ ନେଇ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଧନ୍ୟବାଦ ଦେଲେ ବିଜେପି ନେତା । କଂଗ୍ରେସ କହିଲା, ବିଜେପି ସହ ରହିଛି ବିଜେଡିର ଭିତିରି ସଂପର୍କ

55

କନକ ବ୍ୟୁରୋ : ବିଜେଡିକୁ ଧନ୍ୟବାଦ ଜଣାଇଲା ବିଜେପି । ରାଜ୍ୟସଭାରେ ଏନଆରସି ରିପୋର୍ଟକୁ ନେଇ ଚର୍ଚ୍ଚା ବେଳେ ବିଜେପିକୁ ସୁହାଇଲା ଭଳି ମନ୍ତବ୍ୟ ରଖିଥିଲେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଜାତୀୟ ସୁରକ୍ଷା ପାଇଁ ଏନଆରସି ରିପୋର୍ଟ ଜରୁରୀ ଥିଲା ବୋଲି କହିବା ପରେ ପ୍ରଶଂସାରେ ପୋତି ପକାଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆଉ ସମାନ ଢଙ୍ଗରେ ରାଜ୍ୟ ବିଜେପି ମଧ୍ୟ ପ୍ରେସମିଟ କରି ପ୍ରସନ୍ନଙ୍କ ପ୍ରଶଂସା କରିଛି । ହେଲେ କଂଗ୍ରେସ କହିଛି, ଆସାମ ରାଜିନାମା ଅନୁଯାୟୀ ଏନଆରସି ରିପୋର୍ଟ ହେବାକଥା । ଗୋଟିଏ ପଟେ ବିରୋଧୀ, ନାଗରିକତ୍ୱ ତାଲିକା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରୁଥିବାବେଳେ ବିଜେଡିର ସମର୍ଥନ ବିରାଟ ଦ୍ୱନ୍ଦ୍ୱ ତିଆରି କରିଛି । ଆଉ ପ୍ରଶ୍ନ ଉଠୁଛି ଓଡିଶାରେ ଅନୁପ୍ରବେଶକାରୀଙ୍କ ଉପରେ ସମାନ ପଦକ୍ଷେପ ନେବ କି ବିଜେଡି?

ସୋମବାର ରାଜ୍ୟସଭାରେ ଏନଆରସି ଡ୍ରାଫ୍ଟ ରିପୋର୍ଟ ଉପରେ ଚର୍ଚ୍ଚା ସମୟରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟ ବିଜେପି ଟପ୍ବସଙ୍କୁ ଖୁସି କରିବା ଲାଗି ଯଥେଷ୍ଟ ଥିଲା । କାରଣ ଏନଆରସି ରିପୋର୍ଟ ସହ ଜାତୀୟ ସୁରକ୍ଷା ପ୍ରସଙ୍ଗ ଜଡିତ ଥିବା କହି ପରୋକ୍ଷରେ ବିଜେପି ସରକାରଙ୍କ ପଦକ୍ଷେପକୁ ଉଚିତ ବୋଲି ଇସାରା କରିଥିଲେ ବିଜେଡି ସାଂସଦ । ଯେଉଁଥିପାଇଁ ବିଜେପି ପକ୍ଷରୁ ଟ୍ୱିଟ କରାଯାଇ କୁହାଗଲା ଯେ, ଅମିତ ଶାହା କହିଛନ୍ତି କେବଳ ବିଜେପି ଓ ବିଜେଡି ଛଡା ଅନ୍ୟକେହି କହିଲେ ନାହିଁ ଯେ, ଆମ ଦେଶରେ ଅନୁପ୍ରବେଶକାରୀଙ୍କ କୌଣସି ସ୍ଥାନ ନାହିଁ । ଏନଆରସି ରିପୋର୍ଟରୁ ପ୍ରାୟ ୪୦ ଲକ୍ଷ ଲୋକ ବାଦ ପଡିବା ପରେ ଯେତେବେଳେ ବିରୋଧୀ ଘନଘନ ଆକ୍ରମଣ ଜାରି ରଖିଛନ୍ତି ଠିକ ସେତିକି ବେଳେ ବିଜେଡିର ସମର୍ଥନ ବିଜେପିକୁ ସୁହାଇଛି ।

ଜାତୀୟ ନାଗରିକତ୍ୱ ତାଲିକାରୁ ୪୦ ଲକ୍ଷ ଲୋକ ବାଦ ପଡିବାକୁ ନେଇ ବିରୋଧୀ ଉଭୟ ଆସାମ ଓ କେନ୍ଦ୍ର ବିଜେପି ସରକାରଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଯେତେବେଳେ ବିଜେପି ବିଭାଜନ ରାଜନୀତି କରୁଥିବା ଅଭିଯୋଗ ଆଣୁଛନ୍ତି ଠିକ ସେତିକି ବେଳେ ବିଜେଡିର ସମର୍ଥନ ବିଜେପିକୁ ବେଶ ଉତ୍ସାହିତ କରିପକାଇଛି । ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପ୍ରଶଂସା ପରେ ପୁଣି ଓଡିଶା ବିଜେପି ୟୁନିଟ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦେଇଛି ଧନ୍ୟବାଦ । ଯାହା ବିଜେପି-ବିଜେଡି ମଧ୍ୟରେ ସଂପର୍କକୁ ନେଇ ଦ୍ୱନ୍ଦ୍ୱ ତିଆରି କରୁଥିବାବେଳେ ପୁଣି ବିଜେଡି ସ୍ପଷ୍ଟ କରିଛି ଯେ, ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଦଳ କେବେହେଲେ ସାଲିସ କରିବ ନାହିଁ ।

ବିଜେପି ଓ କଂଗ୍ରେସଠାରୁ ସମଦୂରତା ନୀତି ରଖିଆସୁଥିବା ବିଜେଡିର ନେତା ରାଜ୍ୟସଭାରେ ବିଜେପିକୁ ସୁହାଇବା ଭଳି ବୟାନ ରଖିବା ପରେ ରାଜ୍ୟ ରାଜନୀତିରେ ପୁଣି ଦ୍ୱନ୍ଦ୍ୱ ତିଆରି ହୋଇଛି । ଆଉ କଥା ଅଟକିଛି ଏନଆରସି ରିପୋର୍ଟରୁ ବାଦ ପଡିଥିବା ଲୋକେ ନିର୍ଦ୍ଦାରିତ ସମୟ ମଧ୍ୟରେ ଭାରତୀୟ ନାଗରିକତ୍ୱର ପ୍ରମାଣ ଦେଇନପାରିଲେ ସମୋନଙ୍କ ସହ କଣ ହେବ? ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶ ଛାଡିବା ପାଇଁ କୁହାଯିବ କି? ଏଭଳି ପରିସ୍ଥିତି ହେଲେ ବିଜୁ ଜନତା ଦଳର ଆଭିମୁଖ୍ୟ କ’ଣ ହେବ? ଏବଂ ଓଡିଶାରେ ଥିବା ଅନୁପ୍ରବେଶକାରୀଙ୍କ ଭାଗ୍ୟ କ’ଣ ହେବ?