ନିର୍ବାଚନ ପାଣ୍ଠିକୁ ନେଇ ତୁଟୁନି ବିଜେପି-ବିଜେଡି କଳି ! ଆୟକର କମିସନଙ୍କ ନିକଟରେ ଫେରାଦ ହେଲା ପଦ୍ମ ଦଳ

27

କନକ ବ୍ୟୁରୋ: ବିଜେଡିର ନିର୍ବାଚନୀ ପାଣ୍ଠି ଅନୀୟମିତତା ପ୍ରସଙ୍ଗରେ ଆୟକର କମିସନଙ୍କ ନିକଟରେ ଫେରାଦ ହେଲା ବିଜେପି । ବିଜେପିର ୫ ଜଣିଆ ଟିମ୍ ଆଜି ଆୟକର ବିଭାଗ କମିସନଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି । ଜମା ହୋଇଥିବା କୋଟି କୋଟି ଟଙ୍କା ନଗଦ ଜମାର ବିବରଣୀ ନଦର୍ଶାଇ ବିଜେଡି ଅର୍ଥର ଉତ୍ସକୁ ଲୁଚାଉଛି । ରାଜ୍ୟ ଭିତରେ ଓ ବାହାରୁ ବିଜେଡି ଆକାଉଂଟକୁ ବେନାମୀ ଆକାଉଂଟରୁ ଟଙ୍କା ଆସିଛି ବୋଲି ବିଜେପି ଅଭିଯୋଗ କରିଛି ।

ମାମଲାଟି ହେଲା, ନିର୍ବାଚନରେ ବିଜେଡିର ଟଙ୍କା ଅନିୟମିତତା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି । ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ବିଜେଡିର ବେଆଇନ ଅର୍ଥର ଗୁମର ଫିଟାଉଛି । ବିଜେଡି ବ୍ୟାଙ୍କ ଖାତାକୁ ସାର୍ବଜନୀନ କରିବା ପାଇଁ ବିଜେପି ଦାବି କରିଛି । ଦୁର୍ନୀତି ରୋକିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁନାହାନ୍ତି, କେବଳ ଡ୍ରାମା ଓ ସୁଆଙ୍ଗ କରୁଛନ୍ତି ବୋଲି କହିଥିଲେ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ।

ବ୍ୟାଙ୍କ ଖାତା ଯାଇଥିବା ଅର୍ଥର ଉତ୍ସ ସ୍ପଷ୍ଟ କଲେ ନବୀନଙ୍କ ମୁଖା ଖୋଲିବ । ବିଜେଡିର ନିର୍ବାଚନ ପାଣ୍ଠି ସଂଗ୍ରହରେ ଅନିୟମିତତା ନେଇ ନିର୍ବାଚନ କମିଶନଙ୍କୁ ଓଡ଼ିଶାହାଇକୋର୍ଟ ନୋଟିସ୍ କରିଥିଲେ । ସୁବାସ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଏହି ନୋଟିସ୍ ଜାରି କରିଥିଲେ ହାଇକୋର୍ଟ । ଗତ ୧୮ ତାରିଖରେ ହାଇକୋର୍ଟ ଏ ନେଇ ନୋଟିସ ଜାରି କରିଥିଲେ ।
ମାତ୍ର ଅନ୍ୟପଟେ ବିନା ଅନୁଧ୍ୟାନରେ ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି ନିଜର ମତ ରଖିଥିଲା। ଲୋକଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଚାହିଁବା ସହିତ ନବୀନଙ୍କ ଭାବ୍ୟମୂର୍ତ୍ତିକୁ ସହିନପାରି ବିଜେପି ଅପପ୍ରଚାର ଚଳାଇଥିବା ବିଜେଡି କହିଛି ।
ତେବେ ଏଭଳି ଆରୋପ-ପ୍ରତ୍ୟାରୋପରେ ଦିନକୁ ଦିନ ମାମଲାଟି ଘନେଇବାରେ ଲାଗିଛି ।