ବିଜେପିର ମିଶନ ୧୨୦କୁ ଭରସା ମାତୃଶକ୍ତି : ପୁରୀରେ ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟାକାରିଣୀରେ ଅମିତ ଶାହ କହିଲେ, ମା’ମାନେ ଚାହିଁଲେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ

41

କନକ ବ୍ୟୁରୋ : ଟାର୍ଗେଟରେ ମହିଳା ଭୋଟର । ମହିଳା ଭୋଟ ବ୍ୟାଙ୍କ୍ ବିଜେଡିର ବଡ଼ ଶକ୍ତି ହୋଇଥିବାରୁ ଏହା ଉପରେ ନଜର ପକାଇଛି ବିଜେପି । ପୁରୀରେ ବିଜେପି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ କରି ମହିଳା ନେତ୍ରୀ ଓ କର୍ମୀଙ୍କୁ ଏକାଠି କରିବାକୁ ଉଦ୍ୟମ କରିଛି ଦଳ । ଦଳର ଅଧ୍ୟକ୍ଷ ଅମିତ ଶାହା ଖୋଲାଖୋଲି କହିଛନ୍ତି ଯେ ମହିଳାମାନେ ଚାହିଁଲେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ । ସେପଟେ ମହିଳା ଭୋଟବ୍ୟାଙ୍କକୁ ଆହୁରି ସୁଦୃଢ କରିବାକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ ଆୟୋଜନ କରୁଛି ବିଜେଡି ।

୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ପାଣିପାଗ ସେତିକି ସରଗରମ ହେବାରେ ଲାଗିଛି । ସବୁ ଦଳର ଟାର୍ଗେଟରେ ରହିଛି ମହିଳାଙ୍କ ଭୋଟ । କିଏ କିପରି ମହିଳାଙ୍କ ଭୋଟ ହାତେଇବ, ସେ ନେଇ ଆରମ୍ଭ ହୋଇଯାଇଛି ପ୍ରତିଯୋଗୀତା । ପୁରୀରେ ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ କରି ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି ବିଜେପି । କାର୍ଯ୍ୟକାରିଣୀରେ ଯୋଗ ଦେଇ ଦଳର ମହିଳା ନେତ୍ରୀଙ୍କ ମନରେ ଉତ୍ସାହ ଭରି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଅଧିକରୁ ଅଧିକ ମହିଳା ଭୋଟରଙ୍କୁ ଆକୃଷ୍ଟ ପାଇଁ ଦଳ ପ୍ରସ୍ତୁତ କରିଛି ଯୋଜନା ।

image courtesy – http://www.ddinews.gov.in

ସେପଟେ ବିଜେଡି ତା’ର ମହଳା ଭୋଟ ବ୍ୟାଙ୍କ ଆହୁରି ସଂଗଠିତ କରିବା ପାଇଁ ଆରମ୍ଭ କରିଦେଇଛି କାର୍ଯ୍ୟକ୍ରମ । ସେପ୍ଟେମ୍ବର ୨୪ରୁ ସପ୍ତାହ ବ୍ୟାପୀ ପ୍ରତିି ନିର୍ବାଚନମଣ୍ଡଳୀରେ ହେବ ମହିଳା ସମାବେଶ । ଏହି ସମାବେଶରେ ବିଭିନ୍ନ କ୍ଷେତ୍ରରେ ଥିବା ମହିଳା ନେତ୍ରୀ, ମହିଳା କର୍ମୀଙ୍କୁ ଏକାଠି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ । ସେପଟେ ମହିଳା ଚାଷୀଙ୍କୁ ପ୍ରୋତ୍ସାହନ, ଅଧିକ ମହିଳାଙ୍କୁ ଅର୍ଥନୈତିକ ଓ ସାମାଜିକ ସ୍ୱାବଲମ୍ବୀ କରିବାକୁ ଗୁରୁତ୍ୱ ଦେଉଛି ବିଜେଡି ସରକାର । ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ଆଶା କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ପକ୍ଷକୁ ନେବା ପାଇଁ ବିଜେପି ଓ ବିଜେଡି ମଧ୍ୟରେ ଚାଲିଛି ଜୋରଦାର କସରତ । କାରଣ ଦେଶର ଏହି ଅଧା ଜନସଂଖ୍ୟା ଯେଉଁ ଦଳକୁ ସମର୍ଥନ ଦେବେ, ସେହି ଦଳ କରିବ ବାଜିମାତ୍ ।