ଚିଟଫଣ୍ଡ ପ୍ରସଙ୍ଗରେ ବିଜେଡିକୁ ଘେରିଲା ବିଜେପି! କହିଲା, କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରାଇବା ମୁଡରେ ନାହାନ୍ତି ସରକାର । ଶାସକ ଦଳର ଜବାବ, ପ୍ରକୃତ ଜମାକାରୀଙ୍କ ଚିହ୍ନଟ ଚାଲିଛି

133

କନକ ବ୍ୟୁରୋ : ଚିଟଫଣ୍ଡ ସ୍କାମକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଚିଟଫଣ୍ଡ କେଳେଙ୍କାରୀରେ ଶାସକ ବିଜେଡି ବୁଡି ରହିଛି ବୋଲି ଅଭିଯୋଗ ଆଣିଛି ବିଜେପି । ଲକ୍ଷ ଲକ୍ଷ ପରିବାର ପରିବାର ସର୍ବସ୍ୱାନ୍ତ ହେବା ପରେ ବି ଶାସକ ବିଜେଡି ଏବେ ସୁଦ୍ଧା କ୍ଷତିଗ୍ରସ୍ତକାରୀଙ୍କୁ ଟଙ୍କା ଫେରାଇବା ମୁଡରେ ନାହିଁ । ଗୋଟିଏ ପଟେ ଶାସକ ଦଳର ସାଂସଦ, ବିଧାୟକଙ୍କଠୁ ଆରମ୍ଭ କରି କୁଜି ନେତା ପର୍ଯ୍ୟନ୍ତ ଚିଟଫଣ୍ଡ ସ୍କାମରେ ଜଡିତ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସରକାରୀ ସୁରକ୍ଷା ଯୋଗାଇଛନ୍ତି ।ଅନ୍ୟପଟେ ରାଜ୍ୟସରକାର କମିଶନର ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି ।

ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ନଫେରାଇ ରାଜ୍ୟସରକାର କେବଳ କାଗଜ ଚାଷ କରୁଛନ୍ତି ବୋଲି ବିଜେପି ନେତା ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କ ଅର୍ଥ ଫେରାଇବା ପାଇଁ ରାଜ୍ୟସରକାରଙ୍କ ଆନ୍ତରିକତା ନାହିଁ । ଟଙ୍କା ଫେରାଇବା ସରକାରୀ ଫାଇଲ ଭିତରେ ସୀମିତ ରହିଛି । ୧୩ ଲକ୍ଷ ଜମାକାରୀ କମିଶନଙ୍କ ପାଖରେ ସତ୍ୟପାଠ ପ୍ରଦାନ କରିଥିବା ବେଳେ ମାତ୍ର ୬ ଲକ୍ଷ ଜମାକାରୀଙ୍କୁ ଅନୁଧ୍ୟାନ କରାଯାଇଛି । ସେଥିମଧ୍ୟରୁ ୩ ଲକ୍ଷ ୬୧ ହଜାର ୮୧୭ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ମାତ୍ର ୧୭୦୪ ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟ ସରକାର ଜାଣିଶୁଣି ସମୟ ଗଡାଇ ଲୋକଙ୍କ ମନରୁ ଚିଟଫଣ୍ଡ କେଳେଙ୍କାରୀକୁ ହଜେଇ ଦେବାକୁ ଅପପ୍ରୟାସ କରୁଛନ୍ତି ।

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପାଇଁ ଆହୁରି ୨ ରୁ ୩ ବର୍ଷ ଲାଗିବ ବୋଲି କମିଶନ ଷଷ୍ଠ ଅନ୍ତରୀଣ ରିପୋର୍ଟ ମାଧ୍ୟମରେ ରାଜ୍ୟସରକାରଙ୍କ ନିକଟରେ ଦାଖଲ କରିଛନ୍ତି । ୨୦୧୪ ପୂର୍ବରୁ କରଦାତଙ୍କ ଟିକସ ଅର୍ଥରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଇବା କହି ଟଙ୍କାଟିଏ ବି ଫେରାଇଲେ ନାହିଁ । ଅନ୍ୟପଟେ ଏବେ ଯେଉଁ ଚିଟଫଣ୍ଡ ସଂସ୍ଥାର ସଂପତି ବିକ୍ରି ହେଉଛି ତାକୁ ଶାସକ ଦଳର ନେତା ଓ ବିଧାୟକମାନେ ବେନାମୀ ଭାବେ କିଣୁଛନ୍ତି । ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଯାଏଁ ତାଙ୍କ ବିଧାୟକ ମାନଙ୍କୁ ଘଣ୍ଟ ଘୋଡାଇ ସୁରକ୍ଷା ଦେବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

ଆଉ ବିଜେପିର ଏହି ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ଚିଟଫଣ୍ଡ ତଦନ୍ତ କମିଶନ ଏହା ଉପରେ ଅନୁଧ୍ୟାନ କରୁଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କୁ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଅନୁଯାୟୀ ଏହାର ତଥ୍ୟ ରହିଛି । ଚିଟଫଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ଯଦି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାନଯିବ ଓ ଟଙ୍କା ଅନ୍ୟ କାହା ପାଖକୁ ଚାଲିଯିବ ତେବେ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃ୍ଷ୍ଟି ହେବ । ତେଣୁ ବିଭିନ୍ନ ପର୍ଯ୍ୟାୟରେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଉଛି ଓ ସେମାନଙ୍କୁ ଟଙ୍କା ଫେରସ୍ତ ମଧ୍ୟ କରାଯିବ । ଏଥିପାଇଁ ସରକାର କର୍ପସ ଫଣ୍ଡ ଗଠନ କରିଛନ୍ତି ।

ଟଙ୍କା ଫେରସ୍ତ ପଛରେ ବିଳମ୍ବ ହେବା ନେଇ ଶଶୀଭୂଷଣ କହିଛନ୍ତି, କମିଶନଙ୍କ ଦ୍ୱାରା କଡାକଡି ଭାବେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଉଛି ଯାହାଫଳରେ ଟଙ୍କା ଯେପରି ଅନ୍ୟ କୌଣସି ବ୍ୟକ୍ତିଙ୍କ ପାଖକୁ ନଯାଉ । ଏହାଛଡା ୧୦ ହଜାର ନିମ୍ନ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ମିଳିସାରିଥିବା ବେଳେ ଆଗକୁ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଇ କିଭଳି ଟଙ୍କା ଫେରସ୍ତ କରାଯିବ ତାହା ଉପରେ ଦୃଷ୍ଟି ଦିଆଯାଉଛି । ଏନେଇ ତଦନ୍ତ କମିଶନଙ୍କ କାର୍ଯ୍ୟକୁ ମଧ୍ୟ ତ୍ୱରାନିତ କରାଯାଇଛି । କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତରେ ବିଳମ୍ବକୁ ନେଇ ବିରୋଧୀ ଯେଉଁଭଳି ବାରମ୍ବାର ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ଅମଳୂକ । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି ଓ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରିବା ସହ ଖୁବଶୀଘ୍ର ସେମାନଙ୍କୁ ଟଙ୍କା ମିଳିବ ବୋଲି କହିଛନ୍ତି ଶଶୀଭୂଷଣ ।