ଏକଜିଟ୍ ପୋଲ୍ ପରେ ପଲିଟିକ୍ସ! ଜୁଏଲ କହିଲେ, ଉଭୟ ବିଧାନସଭା ଓ ଲୋକସଭାରେ ବହୁମତ ପାଇବ ବିଜେପି ।

1,909

କନକ ବ୍ୟୁରୋ: ନିର୍ବାଚନ ସରିଲା ପରେ ୧୯ ଯୁଦ୍ଧର ଏକଜିଟ୍ ପୋଲ୍ ବା ବୁଥ୍ ବାହୁଡ଼ା ମତକୁ ନେଇ ରାଜ୍ୟରୁ କେନ୍ଦ୍ର ସବୁଠି ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ଓଡ଼ିଶାରେ କିଏ କେତେ ଆସନ ହାତେଇବ ଆଉ କିଏ କ୍ଷମତାକୁ ଆସିବ ସେନେଇ ସମ୍ଭାବ୍ୟ ଫଳାଫଳ ଆସିବା ପରେ ଦଳୀୟ ଶିବିରରେ ଛନକା ପଶିଛି । ତେବେ ଏକଜିଟ୍ ପୋଲ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତଥା ବିଜେପି ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଭବିଷ୍ୟବାଣୀ କରିଛନ୍ତି । କହିଛନ୍ତି କି, ଓଡ଼ିଶାରେ ବିଜେପିକୁ ଲୋକସଭାରେ ୧୮ଟି ଆସନ ଏବଂ ବିଧାନସଭାରେ ୭୦ରୁ ଉଦ୍ଧ୍ୱର୍ ଆସନ ମିଳିବ । ଆଉ ଓଡ଼ିଶାରେ ମୋଦି ମ୍ୟାଜିକ୍ କାମ କରିବ ବହୁମତ ପାଇ ବିଜେପି ସରକାର ଗଢ଼ିବ ବୋଲି ଜୁଏଲ ଦମ୍ଭୋକ୍ତି ବାଢ଼ିଛନ୍ତି ।

ସେହିପରି କେବଳ ଓଡ଼ିଶା ନୁହେଁ କେନ୍ଦ୍ରରେ ମଧ୍ୟ ବିଜେପି ପୁଣିଥରେ କ୍ଷମତାକୁ ଆସିବ । କାରଣ ଦେଶର ଯେଉଁ ରାଜ୍ୟରେ ନିର୍ବାଚନ ହୋଇଛି ସେଠାରେ କେବଳ ମୋଦି ମୋଦି ନାରା ଶୁଣାଯାଉଛି । ଯାହା ଦର୍ଶାଉଛି ବିଗତ ୫ ବର୍ଷ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ଅତୁଟ ରହିଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ପାଇ କ୍ଷମତାକୁ ଆସିବ । ବିଭିନ୍ନ କ୍ଷେତ୍ରରୁ ଆସିଥିବା ଏକକଜିଟ୍ ପୋଲ୍ ରିପୋର୍ଟ ଭୁଲ୍ ମଧ୍ୟ ହୋଇପାରେ । ଆମ୍ଭେ ମାନେ ଓଡ଼ିଶାର ତୃଣମୂଳସ୍ତରରେ ରହି ସର୍ଭେ କରିଛୁ ଯେଉଁଠି ବିଜେପି କ୍ଷମତା ସମ୍ଭାଳିବାକୁ ସକ୍ଷମ ହେବ ।

ଅନ୍ୟପଟେ ମୋଦିଙ୍କ ମିଶନ୍ ୧୨୦କୁ ନେଇ ଜୁଏଲ କହିଛନ୍ତି କି, ବିଜେପିର ରାଜ୍ୟ ନେତୃବୃନ୍ଦ ଠାରୁ ଆରମ୍ଭ କରି ତୃଣମୂଳସ୍ତରର କର୍ମୀମାନେ ମିଶନ୍ ୧୨୦ ପାଇଁ କାର୍ଯ୍ୟ କରିଛନ୍ତି । ତେଣୁ ରାଜ୍ୟରେ ୭୦ରୁ ଉଦ୍ଧ୍ୱର୍ ବିଧାନସଭା ସିଟ୍ ସହ ୧୮ଟି ଲୋକସଭା କ୍ଷେତ୍ରରେ ବିଜେପି ବିଜୟ ହାସଲ କରି ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ଜୁଏଲ । ହେଲେ ପ୍ରକୃତରେ କିଏ କେଉଁଠ, କେତେ ସିଟ୍ ପାଇବ ତାହା ଆସନ୍ତା ୨୩ ତାରିଖ ଦିନ ସ୍ପଷ୍ଟ ହୋଇଯିବ । କିନ୍ତୁ ଏକଜିଟ୍ ପୋଲ କଦାପି ସଠିକ୍ ଫଳାଫଳ ହୋଇନଥିବାରୁ ବିଭିନ୍ନ କ୍ଷେତ୍ରରେ ଏହାକୁ ସତ ଭାବିବା ଆଦୌ ଉଚିତ୍ ନୁହେଁ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି ।

Comments are closed.