ଅନ୍ତ ହେଉନି ଅନନ୍ତଙ୍କୁ ନେଇ ବିବାଦ: ଆଜି ବିଜେପିର ୧୨ ଘଂଟିଆ ରାଜଧାନୀ ବନ୍ଦ ଡାକରା

34

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ : ଆଜି ବିଜେପି ୧୨ ଘଂଟିଆ ଭୁବନେଶ୍ୱର ବନ୍ଦ ପାଳନ କରୁଛି । ରାଜଧାନୀରେ ଚକାଜାମ କରୁଛନ୍ତି ବିଜେପି କର୍ମୀ । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଆନ୍ଦୋଳନକାରୀ । ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଛନ୍ତି । ଭୁବନେଶ୍ୱରର ସବୁ ସ୍କୁଲ, କଲେଜ, ସରକାରୀ ଅଫିସ ବନ୍ଦ କରିବାକୁ କୁହାଯାଇଛି । ବନ୍ଦ ପାଳନରେ ସାମିଲ ହେବା ପାଇଁ ବସ୍ ଏବଂ ଅଟୋ ସେବା ବନ୍ଦ ରଖିବାକୁ ସଂଗଠନ ଗୁଡିକୁ କୁହାଯାଇଛି ।

ଏହି ବନ୍ଦକୁ ସଫଳ କରିବା ପାଇଁ ବିଜେପି ପ୍ରାଣମୂର୍ଛା ଉଦ୍ୟମ କରୁଛି । ଡାକ୍ତରଖାନା, ଆମ୍ବୁଲାନ୍ସ, ରେଳସେବା ଓ ଔଷଧ ଦୋକାନକୁ ଏଥିରୁ ବାଦ ଦିଆଯାଇଛି । ସେହିପରି ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡମିଟ କାର୍ଡ ଦେଖାଇଲେ ଆନ୍ଦୋଳନକାରୀ ମାନେ ଛାଡି ଦେବେ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି । ତେବେ ବିଜେପିର ଏହି ବନ୍ଦ ଡାକରାକୁ ବିରୋଧ କରି ରାଜଧାନୀର ପ୍ରମୁଖ ବ୍ୟବସାୟ ପେଣ୍ଠ ୟୁନିଟ ୧ ହାଟ ଓ ୟୁନିଟ ୨ ମାର୍କେଟ ବିଲଡିଂ ଉଭୟ ଖୋଲା ରହିଛି ।

ଟାଉନ ବସ ଡ୍ରିମ ଟିମ ସାହାରା ପକ୍ଷରୁ ବି ବସ ଚଳାଚଳ ସ୍ୱାଭାବିକ ରହିଛି । ସେହିପରି ବରମୁଣ୍ଡାରୁ ବିଭିନ୍ନ ଜାଗାକୁ ଯାଉଥିବା ଘରୋଇ ବସ୍ ସେବା ମଧ୍ୟ ବ୍ୟାହତ ହେବନାହିଁ ବୋଲି ଘରୋଇ ବସମାଲିକ ସଂଘ ପକ୍ଷରୁ କୁହାଯାଇଛି । ବିଜେପିର ବନ୍ଦକୁ ନଜରରେ ରଖି ଶାନ୍ତିଶୃଂଖଳା ରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ରାଜଧାନୀର ପ୍ରମୁଖ ଛକ ମାଷ୍ଟରକ୍ୟାଂଟିନ୍, ରାମମନ୍ଦିର, ବିଧାନସବା, ଏଜି ଓ ରାଜମହଲ ଛକରେ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି ।