ବିଜେପିର ଷ୍ଟାର ପ୍ରଚାରକଙ୍କ ପୂରା ତାଲିକା ! ଅଶୋକଙ୍କ ପାଇଁ ବଡ ଧରଣର କସରତ କଲା ଦଳ, ଚାଷୀ ଓ ବୁଣାକାରଙ୍କ ପାଇଁ ମାଷ୍ଟରପ୍ଲାନ

49

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଆସନ୍ତାକାଲି କଂଗ୍ରେସର ପ୍ରଣୟ ସାହୁ ନାମାଙ୍କନ ପତ୍ର ଦାଖଲ କରିବା ପରେ ଆରମ୍ଭ ହେବ ଅସଲ ଲଢେଇ । ପ୍ରାର୍ଥୀପତ୍ର ଦାଖଲ ଶେଷ ହେବ ପରେ ହାଇଭୋଲଟେଜ ପ୍ରଚାର । ଏଥିପାଇଁ ସବୁଦଳରେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ବରିଷ୍ଠ ନେତା ଓ ବଡ ବଡ ଷ୍ଟାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ ହାତେଇବା ପାଇଁ ଆରମ୍ଭ ହୋଇଛି କସରତ । ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରଚାର ହିଁ ଏକମାତ୍ର ଭରସା । ତେଣୁ ଏହି ସୁଯୋଗକୁ କେହି ସହଜରେ ହାତ ଛଡା କରିବାକୁ ଚାହୁଁ ନାହାନ୍ତି । ହାଇଭୋଲଟେଜ କ୍ୟାମ୍ପେନ ଜରିଆରେ ଭୋଟରଙ୍କୁ ଆକର୍ଷିତ କରିବା ସହ ଭୋଟ ହାତେଇବା ହେବ ସବୁ ଦଳର ମୁଳ ଲକ୍ଷ୍ୟ । ଆଉ ଏହି ସମ୍ମାନର ଲଢେଇ ଜିତିବା ପାଇଁ ଜି ଜାନ ଲଗାଇ ଦେଇଛନ୍ତି ବିଜେଡି,ବିଜେପି ଓ କଂଗ୍ରେସ । ଆଉ ଏହାର ଝଲକ ମଧ୍ୟ ନାମାଙ୍କନ ପତ୍ର ଦାଖଲ ସମୟରେ ଦେଖିବାକୁ ମିଳିଛି । ବଡ ବଡ ହେଭିୱେଟଙ୍କୁ ଶୋଭାଯାତ୍ରାରେ ସାମିଲ କରି ଉଭୟ ବିଜେଡି ଓ ବିଜେପି ଦେଖାଇଛି ଦମ ।

bijepurଏସବୁ ଭିତରେ ହାଇଭୋଲଟେଜ ପ୍ରଚାରକୁ ଆହୁରି ଜୋରଦାର କରିବା ପାଇଁ ବିଜେପି ଏକ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବାକୁ ସ୍ଥିର କରିଛି ।ବିଜେପୁରରେ ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ବଛା ବଛା ହେଭିୱେଟ ନେତା ଓ ଲୋକପ୍ରିୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି । କନକ ନ୍ୟୁଜକୁ ମିଳିଥିବା ସୂଚନା ଅନୁଯାୟୀ ବିଜେପି ହାଇଭୋଲଟେଜ ପ୍ରଚାର ପାଇଁ ଷ୍ଟାର ପ୍ରଚାରକ ଭାବେ ଅଧ ଡଜନରୁ ଅଧିକ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇବ । ଏହି ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଭାବେ ସ୍ମୃତି ଇରାନୀ, ରାମ କ୍ରିପାଲ ଯାଦବ, ରାଧା ମୋହନ ସିଂହ, ସନ୍ତୋଷ ଗଙ୍ଗୱାର, ଗଜେନ୍ଦ୍ର ସିଂ ଶେଖାୱତ, ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ରହିବେ ବୋଲି ସୂଚନା ମିଳିଛି । ତେବେ ବିଜେପୁର ଉପନିର୍ବାଚନ ପାଇଁ ଏତେ ସଂଖ୍ୟକ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରଚାର ପାଇଁ ଓହ୍ଲାଇବା ରାଜ୍ୟ ରାଜନୀତିକୁ ଗରମ କରିବ । ବିଜେପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ଖୁବଶୀଘ୍ର ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି ।

smriti-irani-pti-875ବିଜେପୁରରେ ବିଜେଡି ସହ ଜବରଦସ୍ତ ଫାଇଟ କରିବା ପାଇଁ ଅଶୋକଙ୍କ ପାଇଁ ପ୍ରଚାରର ମଙ୍ଗ ଧରିବେ ଷ୍ଟାର ପ୍ରଚାରକ । ବିଜେଡି ଯେଉଁଭଳି ଭାବେ ବିଜେପୁର ଅକ୍ତିଆର କରିବା ପାଇଁ ପ୍ରତି ବ୍ଲକ ଓ ପଞ୍ଚାୟତ ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ ଦାୟିତ୍ୱ ଦେଇଛି ତାହାକୁ ପ୍ରତିହତ କରିବା ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କୁ ଧରି ମଇଦାନକୁ ଓହ୍ଲାଇବ । ମିଳିଥିବା ସୂଚନା ଅନୁଯାୟୀ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ ଥିବା ସ୍ମୃତି ଇରାନି ବିଜେପୁର ନିର୍ବାଚନରେ ବଡ ରୋଲରେ ନଜରକୁ ଆସିବେ । ମୋଦି ସରକାରରେ ଜଣେ ଲୋକପ୍ରିୟ ନେତ୍ରୀ ଭାବେ ଜଣାଶୁଣା ସ୍ମୃତି ଇରାନୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିବା ପଛରେ ବିଜେପିର ଏକ ବଡ ଚାଲ ରହିଛି । ବିଜେପୁର ନିର୍ବାଚନ ମଣ୍ଡଳୀର ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ଅଧିକାଂଶ ବୁଣାକାର ପରିବାର ରହିଛନ୍ତି । ତେଣୁ ତାଙ୍କ ଭୋଟ ପଦ୍ମ ଦଳ ନିଜ ଆଡକୁ ଟାଣିବା ପାଇଁ ସ୍ମୃତିଙ୍କୁ ବିଜେପୁର ମଇଦାନକୁ ଓହ୍ଲାଇବ । ଯେହେତୁ ସ୍ମୃତି ଏବେ କେନ୍ଦ୍ର ସରକାରରେ ବୟନ ଶିଳ୍ପ ମନ୍ତ୍ରୀ ଅଛନ୍ତି ତେଣୁ ତାଙ୍କୁ ସେହି ଅଞ୍ଚଳକୁ ପଠାଇ ଭୋଟ ହାତେଇବା ଲକ୍ଷ୍ୟରେ ରହିଛି ବିଜେପି ।

raman_singh_ANIସେହିଭଳି ଷ୍ଟାର ପ୍ରଚାରକ ଲିଷ୍ଟରେ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂ ଙ୍କ ଭଳି ଲୋକପ୍ରିୟ ଚେହେରାକୁ ସାମିଲ କରିଥିବା ନେଇ ସୂଚନା ମିଳିଛି । ରମଣ ସିଂ ବିଜେପୁର ନିର୍ବାଚନରେ ବିଜେପି ପାଇଁ ଟ୍ରମ୍ପକାର୍ଡ ସାଜି ପାରନ୍ତି । କାରଣ ବରଗଡ ଜିଲ୍ଲା ଛତିଶଗଡ ସୀମାକୁ ଲାଗି ରହିଥିବାରୁ ରମଣ ସିଂଙ୍କ ପ୍ରଭାବ ଅନେକ ସମୟରେ ଏଠାରେ ଦେଖିବାକୁ ମିଳିଛି । ଏପରିକି ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଥିଲା । ଛତିଶଗଡରେ ବିଜେପି ସରକାର ଥିବା ବେଳେ ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ବାଜି ମାରିଥିଲା ପଦ୍ମ ଦଳ । ଏହାସହ ଚଳିତ ଉପନିର୍ବାଚନ ପ୍ରଚାରରେ ମଧ୍ୟ ବିଜେପୁରରେ ଅଶୋକଙ୍କ ପାଇଁ ପ୍ରଚାର କରିବେ ରମଣ । ନବୀନ ସରକାର ଦୀର୍ଘ ୧୮ ବର୍ଷ ଶାସନରେ ରହିବା ପରେ ମଧ୍ୟ କିଭଳି ବିଜେପୁରବାସୀ ଅବହେଳିତ ଅବସ୍ଥାରେ ରହିଛନ୍ତି ତାହାକୁ ଛତିଶଗଡର ବିଜେପି ସରକାରର ବିକାଶ ସହ ତୁଳନା କରି ପଦ୍ମ ଦଳ ପାଇଁ ଭୋଟ ମାଗିବେ ରମଣ । ଏହାଛଡା ଗତ ତିନୋଟି ନିର୍ବାଚନରେ ଏହି ଆସନରୁ କଂଗ୍ରେସ ବିଜୟୀ ହେଉଥିଲେ ମଧ୍ୟ ବିକାଶର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନାହିଁ । ଆଉ ଯାହା ଦଳ ପାଇଁ ବଡ ଫ୍ୟାକ୍ଟର ଭାବେ କାମ କରିବ ।

ମିଳିଥିବା ସୂଚନା ଅନୁଯାୟୀ ବିଜେପର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେବାକୁ ଥିବା ଆଉ ଏକ ବଡ ନାମ ହେଉଛି କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂ । ରାଧା ମୋହନଙ୍କୁ ସାମିଲ କରିବାର ମୁଖ୍ୟ କାରଣ ହେଉଛି କୃଷକଙ୍କ ଭୋଟ ହାତେଇବା । ବରଗଡ ହେଉଛି ଓଡ଼ିଶାର ଭାତ ହାଣ୍ଡି । କିନ୍ତୁ ଗତବର୍ଷ ଯେଉଁଭଳି ଭାବେ ବରଗଡ ଜିଲ୍ଲାରେ ଚକଡା ପୋକ, ମରୁଡି ଯୋଗୁଁ ଚାଷୀ ଆତ୍ମହତ୍ୟା କଲେ ତାହାକୁ ରାଜନୀତିର ରୂପ ଦେଇ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି । ସେଥିପାଇଁ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେପୁର ପାଇଁ ପ୍ରସ୍ତୁତ କରିଛି ଦଳ । କାରଣ ବରଗଡରେ ଚାଷୀ ଆତ୍ମହତ୍ୟା ବେଳେ ରାଧାମୋହନ ସିଂ ରାଜ୍ୟ ସରକାରଙ୍କୁ ଦୋଷୀ ଭାବେ ଚିତ୍ରଣ କରିଥିଲା । ଉପନିର୍ବାଚନର ପ୍ରଚାର ବେଳେ ଚାଷୀ ମୃତ୍ୟୁର ଘଟଣା ପୁଣିଥରେ ବିଜେପୁର ବାସୀଙ୍କୁ ମନେପକାଇ ଦେବା ସହ ବିଜେପି ପାଇଁ ଭୋଟ ଭିକ୍ଷା କରିବେ ରାଧାମୋହନ । ସେହିଭଳି ରାଧାମୋହନଙ୍କୁ ସାଥ ଦେବା ପାଇଁ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମଧ୍ୟ ବିଜେପୁରରେ ଡେରା ପକାଇବେ ।

ଅନ୍ୟ ହେଭିୱେଟ ନେତାଙ୍କ ମଧ୍ୟରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମ କ୍ରିପାଲଙ୍କୁ ମଧ୍ୟ ବିଜେପୁର ବ୍ୟାଟଲଗ୍ରାଉଣ୍ଡକୁ ଓହ୍ଲାଇପାରେ ବିଜେପି । ଗରିବ ଶ୍ରେଣୀର ଭୋଟରଙ୍କ ଭୋଟ ହାତେଇବା ପାଇଁ ରାମକ୍ରିପାଲଙ୍କୁ ବିଜେପି ସାମ୍ନାକୁ ଆଣିବ । ଗରିବ ଶ୍ରେଣୀର ଲୋକଙ୍କ ସହ ସମୟ ବିତାଇବା ସହ ବିଜେପି ମୁଣିରେ ଭୋଟ ପକାଇବାରେ ସହାୟକ ହେବେ ରାମକ୍ରିପାଲ ।ଏହାଛଡା ବିଜେପୁର ଗଡ ଜିତିବା ପାଇଁ ପ୍ରଚାର ମଇଦାନକୁ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର, ସାଧ୍ୱୀ ନିରଞ୍ଜନ ଜ୍ୟୋତିଙ୍କୁ ମଧ୍ୟ ବିଜେପି ଓହ୍ଲାଇବାକୁ ସ୍ଥିର କରିଛି ।
ଏମାନଙ୍କ ବ୍ୟତୀତ ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ମଧ୍ୟ ଅଶୋକଙ୍କ ବିଜୟ ବାନା ଉଡଇବା ପାଇଁ କମର କସିଛନ୍ତି । ତାଛଡା ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କୁ ମଧ୍ୟ ବିଜେପୁର ପ୍ରଚାର ମଇଦାନରେ ଦେଖିବାକୁ ମିଳିବ ବୋଲି ସୂଚନା ମିଳିଛି । । ଏତେ ସବୁ ଷ୍ଟାର କ୍ୟାମ୍ପେନରଙ୍କୁ ବିଜେପି ବିଜେପୁର ଯୁଦ୍ଧ ପାଇଁ ପ୍ରସ୍ୁତ କରୁଥିବା ବେଳେ ବିଜେଡି ଓ କଂଗ୍ରେସର ରଣନୀତି କଣ ରହିବ ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିବ ।