ମୋଦିଙ୍କୁ ଦରକାର ପ୍ରଚାର, ପ୍ରସାର ! ବିଜ୍ଞାପନ ବାବଦକୁ ଖର୍ଚ୍ଚ କଲେ ୩୭୫୫ କୋଟି ଟଙ୍କା, ପ୍ରଶ୍ନ ଉଠାଇଲେ ବିରୋଧୀ

41

କନକ ବ୍ୟୁରୋ :  ବିଜ୍ଞାପନ ବାବଦରେ ବିଜେପି ଖର୍ଚ୍ଚ କରିଛି ୩ ହଜାର ୭୫୫ କୋଟି ଟଙ୍କା । ଆରଟିଆଇରୁ ମିଳିଥିବା ତଥ୍ୟ କହୁଛି, ସାଢେ ୩ ବର୍ଷରେ ମୋଦି ସରକାର ବିଜ୍ଞାପନ ବାବଦରେ ପାଣି ଭଳି ଟଙ୍କା ଖର୍ଚ କରିଛନ୍ତି । ସର୍ବାଧିକ ଖର୍ଚ ହୋଇଛି ପ୍ରିଣ୍ଟ ମିଡିଆ ବିଜ୍ଞାପନ ବାବଦରେ । ଆହୁରି ଏକ ରୋଚକ ଖବର ହେଉଛି, ଜୁନ ୨୦୧୪ରୁ ଅଗଷ୍ଟ ୨୦୧୬ ଭିତରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ହୋଇଥିବା ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୧୦୦ କୋଟି ଟଙ୍କା ।

vlcsnap-2017-12-09-21h48m24s461ଏପ୍ରିଲ ୨୦୧୪ରୁ ଅକ୍ଟୋବର ୨୦୧୭ ।ମୋଦି ସରକାରଙ୍କ ବିଜ୍ଞାପନ ଖର୍ଚ୍ଚ ୩୭୫୫ କୋଟି ଟଙ୍କା ।ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ ସାଢେ ୩ ବର୍ଷରେ ମୋଦି ସରକାର ବିଜ୍ଞାପନ ବାବଦରେ ଆଖିବୁଜା ଖର୍ଚ୍ଚ କରିଛନ୍ତି । ଆରଟିଆଇ ଆକ୍ଟରେ ଆବେଦନ କରିଥିବା ଗ୍ରେଟର ନୋଇଡ଼ାର ଜଣେ ସାମାଜିକ କର୍ମୀଙ୍କୁ ଉତର ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିଜ୍ଞାପନ ଖର୍ଚ୍ଚର ହିସାବ ଦେଇଛି । ଇଲେକ୍ଟ୍ରୋନିକ ମିଡିଆ, ପ୍ରିଂଟ ମିଡିଆ ଓ ଆଉଟ୍ ଡୋର ପବ୍ଲିସିଟିରେ ମୋଦି ସରକାର ଖର୍ଚ୍ଚ କରିଛନ୍ତି ୩୭୫୪ କୋଟି ୬ ଲକ୍ଷ ୨୩ ହଜାର ୬୧୬ ଟଙ୍କା ।

ଇଲେକ୍ଟ୍ରୋନିକ୍ ମିଡିଆରେ ଖର୍ଚ୍ଚ ହୋଇଛି ମୋଟ ୧୬୫୬ କୋଟି ଟଙ୍କା । ସେଥିରେ ରହିଛି ଟେଲିଭିଜନ, କମ୍ୟୁନିଟି ରେଡିଓ, ଡିଜିଟାଲ୍ ସିନେମା, ଇଂଟରନେଟ୍, ଏସଏମଏସ ବାବଦରେ ହୋଇଥିବା ଖର୍ଚ୍ଚ । ତେବେ ପ୍ରିଂଟ ମିଡିଆରେ ଅଧିକ ଖର୍ଚ୍ଚ କରିଛନ୍ତି ମୋଦି ସରକାର । ପ୍ରିଂଟ ମିଡିଆରେ ଖର୍ଚ୍ଚ ହୋଇଛି ୧୬୯୮ କୋଟି ଟଙ୍କା । ସେହିପରି ହୋର୍ଡିଂ, ପୋଷ୍ଟର, ବୁକଲେଟ୍ ଏବଂ କାଲେଣ୍ଡର ଆଦି ଆଉଟଡୋର ପବ୍ଲିସିଟିରେ ଖର୍ଚ୍ଚ ହୋଇଛି ୩୯୯ କୋଟି ଟଙ୍କା ।

ସବୁଠୁ ରୋଚକ କଥା ହେଉଛି, ମୋଦି ସରକାର ପବ୍ଲିସିଟି ବାବଦରେ ଯେତିକି ଖର୍ଚ୍ଚ କରିଛନ୍ତି, କେତେକ ଫ୍ଲାଗସିପ୍ ପ୍ରୋଗ୍ରାମର ବାର୍ଷିକ ବଜେଟ୍ ତା’ଠାରୁ ବହୁତ କମ୍ । ଏପରିକି ପ୍ରଦୂଷଣ ହ୍ରାସ କରିବାକୁ ଗତ ତିନି ବର୍ଷରେ ମାତ୍ର ୫୬ କୋଟି ୮୦ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି ମୋଦି ସରକାର । ଯାହା ଦର୍ଶାଉଛି ମୋଦି ସରକାର ବିଭିନ୍ନ ଯୋଜନା ବାବଦକୁ କମ ଓ ବିଜ୍ଞାପନ ବାବଦରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

vlcsnap-2017-12-09-21h48m39s044୨୦୧୬ରେ ମିଳିଥିବା ଆରଟିଆଇ ତଥ୍ୟ କହୁଛି, ଜୁନ ୨୦୧୪ରୁ ଅଗଷ୍ଟ ୨୦୧୬ ଭିତରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ହୋଇଥିବା ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୧୦୦ କୋଟି ଟଙ୍କା । ପବ୍ଲିସିଟି ବାବଦରେ ମୋଦି ସରକାରଙ୍କ ଖର୍ଚ୍ଚର ହିସାବ, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ମିଳିବା ପରେ ଆରମ୍ଭ ହୋଇଯାଇଛି ଆଲୋଚନା ଓ ସମାଲୋଚନା । ବିଜେଡି କହିଛି, ଗାଲୁଆଙ୍କ ବାରବାଟୀ ଚାଷ କରୁଛନ୍ତି ମୋଦି । କେବଳ ପ୍ରଚାର ପ୍ରସାର ମାଧ୍ୟମରେ ରାଜନୀତି କରୁଛନ୍ତି ମୋଦି । ସେହିଭଳି କଂଗ୍ରେସ କହିଛି, ଗରିବ ଲୋକଙ୍କ ପଇସାରେ ବିଜ୍ଞାପନ କରିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ତେବେ ବିଜେପି କହିଛି, ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ଏଭଳି କରାଯାଉଛି । ଯାହାଫଳରେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠାଇପାରିବେ ସାଧାରଣ ଲୋକେ । ତେବେ ପ୍ରଶ୍ନ ଉଠୁଛି ଲୋକଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇବା ପାଇଁ ବିଜ୍ଞାପନ କଣ ଏକମାତ୍ର ମାଧ୍ୟମ । ନା ଏହାକୁ ଢାଲ କରି ନିଜର ପ୍ରଚାର ପ୍ରସାର କରୁଛନ୍ତି ସରକାର ।