ଶେଷ ହେଲା ବିଜେପିର ମହିଳା ସୁରକ୍ଷା ଯାତ୍ରା ! ବିଜେପି ମହିଳାମୋର୍ଚ୍ଚାର ଅଭିଯୋଗ, ରାଜ୍ୟରେ ଅସୁରକ୍ଷିତ ମହିଳା ।

98

କନକ ବ୍ୟୁରୋ : ସରିଲା ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟବ୍ୟାପୀ ମହିଳା ସୁରକ୍ଷା ଯାତ୍ରା । ଗତ ମେ ୧୭ ତାରିଖରୁ ରାଜ୍ୟରେ ଥିବା ୩୬ଟି ସାଂଗଠନିକ ଜିଲ୍ଲାକୁ ମହିଳା ସୁରକ୍ଷା ଏଜେଣ୍ଡା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସ୍ଥିତି ପରଖିଥଲା ବିଜେପି ମହିଳା ମୋର୍ଚ୍ଚା । ଅଭିଯାନ ସମାପ୍ତି ପରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡା ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରଭାତୀ ପରିଡାଙ୍କ ଅଭିଯୋଗ ଅନୁସାରେ, ଅନେକ ଥାନାରେ ମହିଳାଙ୍କୁ ଅତ୍ୟାଚାର ହେଉଥିବା ନେଇ ଏତଲା ହେଉଥିଲେ ମଧ୍ୟ ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଅପରାଧୀଙ୍କୁ ଘଣ୍ଟ ଘୋଡାଉଛନ୍ତି । ଏପରିକି ରାଜ୍ୟରେ ୫ଶହରୁ ଅଧିକ ପୋଲିସ ଷ୍ଟେସନ ମଧ୍ୟରୁ ୨୭୨ଟି ପୋଲିସ ଷ୍ଟେସନ ପଞ୍ଜୀକୃତ ହୋଇନାହିଁ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ରାଜ୍ୟ ସରକାରଙ୍କର ମହିଳାଙ୍କ ପ୍ରତି ଆନ୍ତରିକତା କେତେ ରହିଛି ।

ଏପରିକି ଦୀର୍ଘ ୧୮ ବର୍ଷ ଧରି ଶାସନ କରୁଥବା ନବୀନ ସରକାରଙ୍କ ବିରୋଧରେ ଘୋର ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଛି ବୋଲି ପ୍ରଭାତୀ କହିଛନ୍ତି । ଏହି ମହିଳା ସୁରକ୍ଷା ଯାତ୍ରାରେ ବିଜେପି ମହିଳାନେତ୍ରୀମାନେ ଦୁଇଟି ପର୍ଯ୍ୟାୟକ୍ରମେ ସୁରକ୍ଷା ଅଭିଯାନ କରିଥିଲେ । ଯେଉଁଥିରେ ୮ହଜାର ୫ଶହରୁ ଅଧିକ ମହିଳାମାନେ ସାମିଲ ହୋଇଥିଲେ ବୋଲି ପ୍ରଭାତୀ କହିଛନ୍ତି । ତେବେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରମୂଖ କାରଣ ହେଉଛି ମଦ । ଯାହାକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିନା ଲାଇସେନ୍ସରେ ଶାସକ ଦଳର ମୁଷ୍ଟୀମେୟ ନେତା, ବିଧାୟକଙ୍କ ଛତ୍ରଛାୟା ତଳେ ପରିଚାଳିତ ହେଉଛି । ଗ୍ରାମାଞ୍ଚଳ ଅଧିକ ମଦ୍ୟପ ବଢ଼ୁଥିବା ମହିଳା ନିର୍ଯ୍ୟାତନା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଭାତୀ ପରିଡା ।

ଏହି ସୁରକ୍ଷିତ ଯାତ୍ରାରେ ପରିଲକ୍ଷିତ ହୋଇଥିବା ନାରୀ ନିର୍ଯ୍ୟାତନାର ସ୍ୱରକୁ ଅଧିକ ଶାଣିତ କରି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟପାଳ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି କହିଛନ୍ତି ପ୍ରଭାତୀ । ମହିଳାମାନଙ୍କୁ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ପୋଲିସ ବି ଶାସକ ଦଳର କର୍ମୀ ପରି ବ୍ୟବହାର କରି ଅପରାଧୀଙ୍କୁ ଘଣ୍ଟଘୋଡାଉଥିବା ଅଭିଯୋଗ କରିଛନ୍ତି ପ୍ରଭାତୀ । ଯଦି ଶାସକ ଦଳର ଏଭଳି ଗୁଣ୍ଡାଗିରି ବଢ଼ିଚାଲିବ ତେବେ ସରକାରଙ୍କ ବିରୋଧରେ ଆଗାମୀ ଦିନରେ ମହିଳାମାନେ ଉଚିତ ଜବାବ ଦେବେ ।