ନୂଆ ନୂଆ ଆସିଛନ୍ତି, ଶବ୍ଦକୁ ମଡେଲିଂ କରି କହୁଛନ୍ତି ଅପରାଜିତା ଷଡଙ୍ଗୀ: ସୁବାସ ଚୌହ୍ୱାନ ।

497

କନକ ବ୍ୟୁରୋ : ଦଳ ପାଇଁ କାମ କର ନହେଲେ ବିଜେପି ଛାଡ । ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଆଜି ଦଳୀୟ କର୍ମୀଙ୍କୁ କିଛି ଏଭଳି ଟିପ୍ପଣୀ ଦେଇଥିଲେ । ଦଳୀୟ କର୍ମୀଙ୍କୁ ଅପରାଜିତା କଡା ସ୍ୱରରେ କହିଥିଲେ, ଯିଏ ବି ଦଳର ପ୍ରାର୍ଥୀ ହେବ, ତାଙ୍କୁ ଜିତାଇବା ପାଇଁ ସବୁ ଦଳୀୟ କର୍ମୀ କାମ କରିବା ଦରକାର । କାହିଁକି ନା ଏହା ଦଳୀୟ କର୍ମୀଙ୍କ ଧର୍ମ ଅଟେ । ଦଳ ଭିତରେ କୌଣସି ନିର୍ଦ୍ଦିଷ୍ଟ ନେତାଙ୍କ ଗୋଷ୍ଠୀ ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ବିଜେପି ନେତ୍ରୀ । ଅପରାଜିତାଙ୍କ ଏଭଳି ଟିପ୍ପଣୀର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ଅପରାଜିତାଙ୍କ ଏଭଳି ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ସୁବାସ ଚୌହ୍ୱାନ । କହିଛନ୍ତି ଅପରାଜିତା ପ୍ରଶାସନିକ କାର୍ଯ୍ୟ ଛାଡି ଏବେ ନୂଆ ନୂଆ ରାଜନୀତିକୁ ଆସିଛନ୍ତି । ତେଣୁ ସେ ରାଜନୈତିକ ଶବ୍ଦକୁ ନେଇ ମଡେଲିଂ କରି ବିବୃତି ରଖୁଛନ୍ତି । ବିଜେପି ନିଜ ପରମ୍ପରା ଅନୁଯାୟୀ ଏକ ସାଂଗଠନିକ ଢାଞ୍ଚାରେ ପରିଚାଳିତ ହେଉଛି । ତେଣୁ ଦଳରେ ସମସ୍ତେ ଏକ ହୋଇ ଚାଲିବା ଦରକାର । ସୁବାସ ଚୈାହ୍ୱାନଙ୍କ ଏହି ଉକ୍ତିରୁ ବୁଝିବା ସ୍ପଷ୍ଟ, ଅପରାଜିତା ଦେଇଥିବା ବୟାନ ଆଉ ଢାଂଚା ବୋଧହୁଏ ବିଜେପି ନେତାଙ୍କୁ ପସନ୍ଦ ଆସିନାହିଁ ।

ବିଜେପି ଭିତରେ ଗୋଷ୍ଠୀବାଦ୍ ନଥିବା ନେତାମାନେ ବାରମ୍ବାର ଗଣମାଧ୍ୟମ ସାମ୍ନାରେ କହୁଥିବା ବେଳେ, ଅପରାଜିତାଙ୍କ ଭାଇରାଲ ଭିଡିଓରୁ ସ୍ପଷ୍ଟ ବୁଝା ପଡୁଛି, ତୃଣମୂଳ ସ୍ତରର ନେତା ଗୋଷ୍ଠୀରେ ବିଶ୍ୱାସ କରୁଛନ୍ତି । ଆଉ ଏଭଳି ଆଚରଣ ହିଁ ଅପରାଜିତାଙ୍କୁ ଉତ୍ତେଜିତ କରିଛି ଆଉ ସେ ଏଭଳି ବୟାନ ରଖିବାକୁ ବାଧ୍ୟ ହୋଇଛନ୍ତି ବୋଲି ଅନୁମାନ କରାଯାଉଛି । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ବିଜେପି ମହଲରେ ଜୋଶ ଆସିଥିବା ବେଳେ ଅପରାଜିତାଙ୍କ ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।