ୟୁଜର୍ସ ଫି ଆଦାୟକୁ ବିଜେପିର ବିରୋଧ: ବିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା

19

ବିଏମସିର ୟୁଜର୍ସ ଫି ଆଦାୟକୁ ବିରୋଧ କରୁଛି ବିଜେପି । ଆଜି ବିଏମସି ଅଫିସ ଘେରାଉ ବେଳେ ପୁଲିସ- ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ତେବେ ଘେରାଉ ବେଳେ ବିଏମସି  କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କଲା ବେଳେ, ବିଜେପି କର୍ମୀ ଏବଂ ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ୟକ୍ତ କର୍ମୀ ବିଏମସି କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ୟୁଜର୍ସ ଫିକୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ଲାଗି ଦାବି କରୁଛି ରାଜ୍ୟ ବିଜେପି । ଅନ୍ୟପଟେ ବିଏମସି କମିସନର ଏବଂ ବିଜେପିର ଆଲୋଚନା ବିଫଳ ହୋଇଛି । ଫଳରେ ମେ ୧ରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ପାଇଁ ନିଷ୍ପତି ନେଇଛି ବିଜେପି । ସେପଟେ ବିଏମସି କମିସନର  କିଷନକୁମାର ଓ ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି ୟୁଜର୍ସ ଫି ଆଦାୟ ଜାରି ରହିବ । କେନ୍ଦ୍ର ସରକାରଙ୍କ ଅମୃତ ଯୋଜନାରେ ୟୁଜର୍ସ ଫି ଆଦାୟ କରିବା ପାଇଁ ନିୟମ ରହିଛି । ୨୦୧୫ ଫେବ୍ରୁଆରୀରେ ଗେଜେଟþ ନୋଟିଫିକେସନ ଜରିଆରେ ପ୍ରତ୍ୟେକ ଘର, ଦୋକାନଘର, ସପିଂ ମଲ ଓ ହସ୍ପିଟାଲରୁ ୟୁଜର୍ସ ଫି ଆଦାୟ ପାଇଁ ଘୋଷଣା କରିଥିଲା ବିଏମସି । ପରିମଳ ଓ କଠିନ ବର୍ଯ୍ୟବସ୍ତୁ ପରିଚାଳନା ବାବଦକୁ ଏହି ଫି ଆଦାୟ କରିବାକୁ ଘୋଷଣା କରାଯାଇଥିଲା ।