କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ! ନବୀନ ନିବାସକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି

42

କନକ ବ୍ୟୁରୋ : ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଛନ୍ତି ବିଜେପି କର୍ମୀ । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା ବିଜେପି କର୍ମୀ ଆଜି ନବୀନ ନିବାସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ପୁଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନକାରୀଙ୍କୁ ରୋକିବା ସମୟରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେପଟେ ବିଜେପିର ଆଉ ଏକ ରାଲି ପାର୍ଟି ଅଫିସରୁ ସଚିବାଳୟ ଅଭିମୁଖେ ବାହାରିଛି ।

କୁନ୍ଦୁଲି ନାବାଳିକା ଗଣ ଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ଦିନକୁ ଦିନ ରାଜନୀତି ଯୋର ଧରିବାରେ ଲାଗିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡ଼ି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବଙ୍କ ଆକ୍ଷେପ ଓ ପ୍ରତି ଆକ୍ଷେପ ନେଇ ରାଜନୀତି ଥମି ନ ଥିବା ବେଳେ ଆଜି ବିଜେପି ପକ୍ଷରୁ ଏହି ପ୍ରସଙ୍ଗ ନେଇ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ ହୋଇଛି । ଏପରିକି ନବୀନ ନିବାସ ଚାରିପଟେ ଥିବା ସୁରକ୍ଷା ବଳୟକୁ ଭାଙ୍ଗି ବିଜେପି କର୍ମୀମାନେ ନବୀନ ନିବାସ ସମ୍ମୁଖ ରାସ୍ତାରେ ପହଞ୍ଚି ଯାଇ ଭିତରକୁ ପଶିବାକୁ ଉଦ୍ୟମ କରିଛନ୍ତି । ପରେ ବହୁ ସଂଖ୍ୟକ ବିଜେପି କର୍ମୀଙ୍କୁ ପୁଲିସ ଅଟକ ରଖିଛି।

ସୂଚନାଯୋଗ୍ୟ କୁନ୍ଦୁଲି ପୀଡିତାଙ୍କ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି କହିଥିଲେ, ବିଚାର ବିଭାଗୀୟ ତଦନ୍ତ ଏକ ଗପ କାହାଣୀ । ଏଥିରୁ କିଛି ମିଳିବନାହିଁ । ପୀଡିତାଙ୍କ ଗଣମାଧ୍ୟମରେ ବୟାନ ସବୁଠାରୁ ବଡ ପ୍ରମାଣ ବୋଲି ଧର୍ମେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ । ଆଉ ଏହାର ଜବାବରେ ବିଜେଡି କହିଛି ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ବିଜେପି ବାରମ୍ବାର ଏଭଳି ସାମ୍ବାଦିକ ସମ୍ବଳନୀ କରୁଛି । ଏହାଛଡା କୁନ୍ଦୁଲି ମାମଲାରେ ଯଦି ବିଜେପି ପାଖରେ କୌଣସି ପ୍ରମାଣ ଅଛି ତେବେ କୋର୍ଟ ନିକଟରେ ତାକୁ ଉପସ୍ଥାପନ ବିଜେପି କରୁ ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା ।