ଅନୁୁଗୁଳରେ ୱାର୍ଡ ମେମ୍ବରଙ୍କ ସ୍ୱାମୀ ଘଣ୍ଟ ବଜାଇ କ୍ଷମା ମାଗିବା ଘଟଣା : ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି

18

କନକ ବ୍ୟୁରୋ : ଅନୁଗୁଳରେ ୱାର୍ଡ ମେମ୍ବର ସ୍ୱାମୀଙ୍କୁ ଗାଁ କଙ୍ଗାରୁ କୋର୍ଟରେ ବାସନ୍ଦ କରିବା ଘଟଣାକୁ ନିନ୍ଦା କରିଛି ବିଜେପି । ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି । ଗାଁ ଗାଁ ବୁଲି ଘଣ୍ଟ ପିଟି କ୍ଷମାପ୍ରାର୍ଥନା କରିବା ଘଟଣାକୁ ନିନ୍ଦା କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଏହାସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ ।

ସେପଟେ ଏହି ଘଟଣାରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ୫୨ଜଣଙ୍କ ନାଁରେ ବନ୍ତଳା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିଛି ।

ଗତକାଲି ଅନୁଗୁଳ ଜିଲ୍ଲା ବନ୍ତଳ ଥାନା ବଡକେରା ପଂଚାୟତ ଗୁଡିଆପଡା ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ନିର୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିବାରୁ ଗାଁଲୋକେ ୱାର୍ଡ ମେମ୍ବର ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିବା ଅଭିଯୋଗ ହୋଇଥିଲା । ପଂଚାୟତ ନିର୍ବାଚନରେ ନାଏବ ସରପଂଚ ପ୍ରାର୍ଥୀଙ୍କୁ ୮ ନମ୍ବର ୱାର୍ଡର ୱାର୍ଡ ମେମ୍ବର ମଲ୍ଲିକା ସାହୁ ଭୋଟ ଦେଇନଥିଲେ । ଫଳରେ ରାଜନୈତିକ ଆକ୍ରୋଶ ରଖି ମଲ୍ଲିକା ସାହୁ ଓ ତାଙ୍କ ସ୍ୱାମୀଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦେଇଥିଲେ ଗାଁ ଲୋକେ । ଜୋରିମାନା ବାବଦକୁ ୫୦ ହାଜର ଟଙ୍କା ନଦେଲେ ଗାଁ ଗାଁ ବୁଲି ଘଂଟ ପିଟି ଭୁଲ ମାଗିବାକୁ ଗାଁ ଲୋକେ କହିଥିଲେ । ଶେଷରେ ୱାର୍ଡ ମେମ୍ବରଙ୍କ ସ୍ୱାମୀ ଦୁଷ୍ମନ୍ତ ସାହୁ ଗାଁ ଗାଁ ବୁଲି ଘଂଟ ପିଟି କ୍ଷମା ମାଗିଥିଲେ ।

ଦେଖନ୍ତୁ ଏହି ଭିଡ଼ିଓ –