ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିିସି କାରବାର ବିରୋଧରେ ବିଜେପିର ଆନ୍ଦୋଳନ ! ବ୍ଲକ୍ କାର୍ଯ୍ୟାଳୟ ଘେରାଉ କଲେ ନେତା ଓ କର୍ମୀ  ।

40
ଆଜିଠୁ ବିଜେପିର ବ୍ଲକ୍ ଘେରାଉ । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ବିରୋଧରେ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି ।  ଆଜିଠାରୁ ଦଳ ପକ୍ଷରୁ ସମସ୍ତ ବ୍ଲକ ଘେରାଉ କରାଯିବ । ୨୭, ୨୯ ଓ ୩୦ ତାରିଖରେ ପର୍ଯ୍ୟାୟକ୍ରମେ ଏହି ଘେରାଉ କରିବେ ଓ କର୍ମୀମାନେ ଧାରଣା ଦେବେ ।
ସୂଚନା ଅନୁଯାୟୀ, ଚିଟଫଣ୍ଡ, ଖଣି, ଡାଲି, ଚାରା,ବାଲିଘାଟ ଆଦି ଦୁର୍ନୀତି କୃଷି ଋଣ ଜାଲିଆତି, ଧାନ କିଣାରେ ଚଂଚକତା କରି ସହାୟକ ମୂଲ୍ୟ ନଦେବା, ଇନପୁଟ୍ ସବସିଡିର ବାଟମାରଣା ଚାଷୀଙ୍କୁ ବାଧୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସେହିପରି ରାସନ କାର୍ଡ ବଂଟନ ଠାରୁ ଆରମ୍ଭ କରି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜେପି । ଆଉ ଏହାର ପ୍ରତିବାଦରେ ଆଜିଠାରୁ ସବୁ ବ୍ଲକରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବେ ।
ତେବେ ଏନେଇ ଗତ କାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର  । ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ଚିଟଫଣ୍ଡ୍, ଖଣି, ଡାଲି, ଚାରା, ବାଲିଘାଟ ଆଦି ଦୁର୍ନୀତିକୁ ପ୍ରସଙ୍ଗ କରିଛି ବିଜେପି । ଏହାସହ କୃଷି ଋଣ ଜାଲିଆତି, ଧାନ କିଣାରେ ଚଞ୍ଚକତା କରି ସହାୟକ ମୂଲ୍ୟ ନ ଦେବା, ଇନ୍ପୁଟ୍ ସବ୍ସିଡିର ବାଟମାରଣା କରିବା ଓଡ଼ିଆ ଚାଷୀଙ୍କୁ ପ୍ରତାରଣା କରିଛନ୍ତି ରାଜ୍ୟ ସରକାର ଏବଂ ଏହାର ଦୃଢ଼ ପ୍ରତିବାଦ କରିବ ବୋଲି ଗତ କାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଭୃଗୁ ।
ସେପଟେ ବିଜେଡ଼ି ମଧ୍ୟ ଏହାର ଜବାବ ରଖିଛି । ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି ଯେ, ନିର୍ବାଚନକୁ ଆଉ କେଇ ମାସ ବାକି ରହିଛି ତେଣୁ ବିଜେପି ନିଜ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କରୁଛି । ଯଦି ସତରେ ଓଡ଼ିଶା ପ୍ରତି ତାଙ୍କର ଦରଦ ଥାଆନ୍ତା ତେବେ ରାଜ୍ୟକୁ କେନ୍ଦ୍ର ଅବହେଳା କରୁଥିବା ପ୍ରସଙ୍ଗ ମଧ୍ୟ ଉଠାଇଥାନ୍ତେ । ବିଜେପିର କେବଳ ଏହା କୁମ୍ଭୀର କାନ୍ଦଣା ସଦୃଶ । ଏହାର କିଛି ପ୍ରଭାବ ନବୀନ ସରକାରଙ୍କ ଉପରେ ପଡ଼ିବ ନାହିଁ ବୋଲି ସସ୍ମିତ୍ କହିଛନ୍ତି ।