ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀମାରଣ ନୀତିକୁ ଦୃଢ଼ ବିରୋଧ କରି ଆସନ୍ତା ୭ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି !

43

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀମାରଣ ନୀତିକୁ ଦୃଢ଼ ବିରୋଧ କରିଛି ବିଜେପି। ଏହି ପ୍ରସଙ୍ଗରେ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ । ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୧୪ ବ୍ଲକରେ କୃଷକ ମୋର୍ଚା ନେୃତୃତ୍ୱରେ ବିଜେପି ବିକ୍ଷୋଭ ପ୍ରଦର୍ଶନ କରିବ । ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହଦେଓ କହିଲେ, ବରଗଡ଼ର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଶାସନ ପ୍ରଶାସନ ପ୍ରାୟୋଜନରେ ଘଟିଛି । ବୃନ୍ଦାବନ ପୋକ ଆକ୍ରମଣ ନେଇ ପ୍ରଶାସନ ପାଖରେ ନେହୁରା ହେଲେ । ଫଳ ନ ମିଳିବାରୁ ପ୍ରତିବାଦ ସ୍ୱରୂପ ଧାନ ବିଲରେ ନିଆଁ ଲଗାଇଲେ । ସମ୍ବେଦନହୀନ ସରକାର କୌଣସି ପଦକ୍ଷେପ ନ ନେବାରୁ ସେ ବିଷ ପିଇ ଆତ୍ମହତ୍ୟା କଲେ । ବୃନ୍ଦାବନଙ୍କ ମୃତ୍ୟୁ ପରେ କୃଷି ମନ୍ତ୍ରୀ ସମବେଦନା ଜଣାଇବା ବଦଳରେ ଧମକ ଭରା ସ୍ୱରରେ ପରିବାରକୁ ତାଗିଦ କଲେ । ଧାନ ବିଲ ପୋଡ଼ିଥିବା ଚାଷୀଙ୍କୁ କ୍ଷତିପୂରଣ ନ ମିଳିବାର ଧମକ ମଧ୍ୟ ଦେଲେ । ରାଜ୍ୟସ୍ତରୀୟ ବୈଷୟିକ କମିଟି ବୈଠକ ବସି ପାରିଲା ନାହିଁ କିମ୍ବା ରାଜ୍ୟ କୃଷି ଶିଳ୍ପ ନିଗମ ତତ୍ତ୍ୱାବଧାନରେ ସୁରଭି ଯୋଜନାରେ ଇନପୁଟ ସବ୍‌ସିଡି ଯୁକ୍ତ କୀଟନାଶକ କାହିଁକି ଯୋଗା ଯାଇ ପାରିଲା ନାହିଁ ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, ବିଶେଷ କୃଷି ବଜେଟର ଉପାଦେୟତା ଫସର ଫାଟି ଯାଇଛି । କୃଷି କ୍ୟାବିନେଟ୍‌ କୃଷକଙ୍କ ଦୁର୍ଦ୍ଦିନରେ ସହଯୋଗର ହାତ ନ ବଢାଇ ପାରି ଏହାର ପ୍ରାସଙ୍ଗିକତା ହରାଇଛି । ଜଳସେଚନ, କୃଷି ଋଣ, ଇନପୁଟ ସବ୍‌ସିଡି, ଫସଲ ବୀମା, ଉଚିତ ମୂଲ୍ୟରେ ଉତ୍ପାଦ କ୍ରୟ, ଉତ୍ପାଦନ ସଂରକ୍ଷଣ ପାଇଁ ବ୍ୟବସ୍ଥା ସବୁଥିରେ କୃଷି ସ୍ୱାର୍ଥକୁ ରକ୍ଷା କରିବାରେ  ବିଫଳତା  ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାର ପ୍ରମାଣ । ସରକାରଙ୍କ ଏପରି ଆଭିମୁଖ୍ୟ ବିରୋଧରେ ବିଜେପିର ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ସିଂହଦେଓ କହିଥିଲେ ।  ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ଦିଲୀପ ମହାନ୍ତି, ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।