ନବୀନ ସରକାରଙ୍କ ୩ ବର୍ଷ ପୂରଣରେ ଆରମ୍ଭ ହେଲା ବିଜେଡିର ସମ୍ବାଦିକ ସମ୍ମିଳନୀ ଧାରା ! ମନ୍ତ୍ରୀ ପ୍ରତାପ ଜେନା ଓ ରମେଶ ମାଝି କଲେ ପ୍ରେସମିଟ୍

24

କନକ ବ୍ୟୁରୋ : ନବୀନ ପଟ୍ଟନାୟକ ସରକାରର ୪ର୍ଥ ପାଳିର ୩ୟ ବର୍ଷରେ ଆଜିଠାରୁ ସବୁ ବିଭାଗର ବିଭାଗୱାରୀ ସମୀକ୍ଷା ଆରମ୍ଭ ହୋଇଛି । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସଏସ-ଏସଟି, ପଛୁଆ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସମୀକ୍ଷା ହୋଇଛି । ପରେ ସଂପୃକ୍ତ ମନ୍ତ୍ରୀ ପ୍ରେସମିଟ କରି ନିଜ ବିଭାଗର ସଫଳତା ଜଣାଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ସ୍ୱାସ୍ଥସେବାରେ ଉନ୍ନତି ହୋଇଥିବା କହିଛନ୍ତି । ରାଜ୍ୟରେ ଶିଶୁ ମୃତ୍ୟୁହାର କମିଥିବା ବେଳେ ୧୩ଶହରୁ ଅଧିକ ପିଲାଙ୍କୁ ବିନାମୂଲ୍ୟରେ ଚିକିତ୍ସା ମିଳିଛି ବୋଲି ମନ୍ତ୍ରୀ କହିଛନ୍ତି । ଏହା ସହ କଟକଓ ବ୍ରହ୍ମପୁର ମେଡିକାଲ କଲେଜର ସିଟ୍ ସଂଖ୍ୟା ବଢିଥିବା ବେଳେ ବାରିପଦା ଓ କୋରାପୁଟରେ ନୂଆ ମେଡିକାଲ କଲେଜ ସରକାର ଖୋଲିଥିବା ସେ କହିଛନ୍ତି ।

ଲୋକଙ୍କ ସ୍ୱାସ୍ଥ୍ୟକିୁ ନବୀନ ସରକାର ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି ବୋଲି ମନ୍ତ୍ରୀ କହିବା ସହ ନିରାୟମ ଯୋଜନା, ରକ୍ତସଂଗ୍ରହ କରିବା, କ୍ୟାନସର ରୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ଦେବା ପରି ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ପ୍ରତାପ ଜେନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଜିର ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଗତକାଲି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବୈଠକ ଡାକି ଲୋକଙ୍କ ପାଖରେ ସଫଳତା ବଖାଣିବାକୁ ମନ୍ତ୍ରୀଙ୍କୁ ଟିପ୍ସ ଦେଇଥିଲେ । ସେହିଅନୁସାରେ ଆଜିଠାରୁ ବିଭାଗୱାରୀ ସମୀକ୍ଷା ହେଉଛି । ଏଥିରେ ସଂପୃକ୍ତ ବିଭାଗର ମନ୍ତ୍ରୀ, ବରିଷ୍ଠପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁଛନ୍ତି । ଏହି ସମୀକ୍ଷା ଆଜିଠାରୁ ୩୧ ତାରିଖାଯାଏଁ ଚାଲିବ ।