ମୋଦି ନରମ, ଶାହା ଗରମ । ସାଲେପୁର ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଅମିତ ଶାହାଙ୍କ ଟାର୍ଗେଟ୍। କହିଲେ, ବିଜେପିକୁ ମୌକା ମିଳିଲେ ଓଡିଶାକୁ କରିଦେବେ ୧ ନମ୍ବର ରାଜ୍ୟ

କଂଗ୍ରେସ କହିଲା, ପ୍ରତିଶ୍ରୁତି ଦେଇ ରଖିନାହାନ୍ତି ଉଭୟ ବିଜେପି ଓ ବିଜେଡି ସରକାର

277

କନକ ବ୍ୟୁରୋ: ମୋଦି ନରମ, ଶାହା ଗରମ । ସାଲେପୁର ସଭାମଂଚରୁ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆୟୁଷ୍ମାନ ଭାରତ ଓ ଡିଏମଏଫ୍ ପାଂଠିଠାରୁ ରତ୍ନଭଣ୍ଡାର ଭଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଅମିତ ଶାହା । ରାହୁଲ ଗାନ୍ଧି ଓ କଂଗ୍ରେସକୁ ବି ଘେରିଛନ୍ତି । ମୋଦି ସରକାରଙ୍କ ସଫଳତା ବଖାଣିଛନ୍ତି ଏବଂ ବୁଥ୍ ସ୍ତରୀୟ କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ମନ୍ତ୍ର ଫୁଙ୍କିଛନ୍ତି । ଓଡିଶାରେ ୫ ବର୍ଷର ବିଜେପି ସରକାର ପାଇଁ ସୁଯୋଗ ଦେବାକୁ ଅହ୍ୱାନ ଦେଇଛନ୍ତି ଶାହା । କହିଛନ୍ତି, ମୋଦି ସରକାରକୁ ମୌକା ମିଳିଲେ ଓଡିଶାକୁ ୧ ନମ୍ବର ରାଜ୍ୟ କରିଦେବ ବିଜେପି ।

୧୯ ବର୍ଷର ସରକାରକୁ ହଟାଇ ୧୯ରେ ସରକାର ଗଢିବ ବିଜେପି । ସାଲେପୁରରେ ଏଭଳି ଦମ୍ଭ ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ମୋଦିଙ୍କ ସଫଳତାର ତାଲିକା ଦେଇଛନ୍ତି ଆଉ ତାସହ ବଖାଣିଛନ୍ତି ରାଜ୍ୟ ସରକାରଙ୍କ ବିଫଳତା । ପୂର୍ଣ୍ଣ ବହୁମତ ସହ ଓଡିଶାରେ ମୋଦି ସରକାରଙ୍କୁ ମୌକା ଦେବାକୁ ଆହ୍ୱାନ ଦେଇଛନ୍ତି ଅମିତ ଶାହା । ବିଜେପି ସରକାର ଆସିଲେ ଓଡିଶା ନମ୍ବର ୱାନ ରାଜ୍ୟ ହୋଇପାରିବ । ଓଡିଶା ବିକାଶର ରାଜ୍ୟ ସରକାର ବାଧା ସାଜିଛନ୍ତି ବୋଲି ଶାହା କହିଛନ୍ତି । ରାଜ୍ୟର ୪୦ ପ୍ରତିଶତ ଲୋକଙ୍କର ଘର ନାହିଁ । ୩୮ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଚଂପାରିନାହିଁ । ସରକାରଙ୍କ ନୀତି ଓ ନୈତିକତାର ଅଭାବ ରହିଛି ।

ବିଜେପି ସରକାର ଆୟୁଷ୍ମାନ ଯୋଜନା ପ୍ରଣୟନ କଲେ ।କିନ୍ତୁ ମୋଦି ଲୋକପ୍ରିୟତା ଭୟରେ ନବୀନ ଏହାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡିଶାରେ ଦୀର୍ଘ ବର୍ଷ ବିଜେଡି ଓ କଂଗ୍ରେସ ଶାସନ କଲେ । ଏବେ ୫ ବର୍ଷ ପାଇଁ ବିଜେପିକୁ ସୁଯୋଗ ଦିଅନ୍ତୁ । ଓଡିଶାକୁ ସୁଦୃଢ କରିବା ପାଇଁ ବିଜେପି ବଦ୍ଧ ପରିକର । ମଜବୁର ନୁହେଁ ମଜଭୁତ ସରକାର ବିଜେପି ଦେଇପାରିବ ବୋଲି ଶାହା କହିଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ ଓଡିଆ ଜାଣିଥିବା ଜଣେ ନେତା ଓଡିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସଂକଳ୍ପ କରିବାକୁ ଆହ୍ୱାନ କରିଛନ୍ତି ଅମିତ ଶାହା ।

ଯଦିଓ ଏଥର ଓଡିଶାରେ ବିଜେପିର ମିଶନ ୧୨୦ ପ୍ଲସର ନାରା ଦେଇନଥିଲେ ହେଲେ ଦେଶରେ ଓଡିଶାକୁ ନମ୍ବର ୱାନ କରିବାକୁ ଶାହା ଦେଇଛନ୍ତି ଆହ୍ୱାନ । ଏଥିପାଇଁ ଓଡିଶାବାସୀଙ୍କ ସହଯୋଗ ଲୋଡିଛନ୍ତି । ଶାହାଙ୍କ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେପଟେ କଂଗ୍ରେସ କହିଛି, ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାଁନ୍ତି ଉଭୟ ବିଜେପି ଓ ବିଜେଡି ସରକାର । କଟକ, କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁରର ବିଜେପି ବୁଥ୍ ସ୍ତରୀୟ କର୍ମକର୍ତାଙ୍କୁ ଉଦବୋଧନ ଦେଇଛନ୍ତି ଶାହା । ୨୦୧୯ ପାଇଁ କର୍ମୀଙ୍କୁ ଦେଇଛନ୍ତି ବିଜୟର ମନ୍ତ୍ର । ମୋଦିଙ୍କ ପରେ ଶାହାଙ୍କ ଗସ୍ତ, ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ୍ ଭରିଦେଇଛି ।