ମୋଦି ମେହଫିଲ୍ ବ୍ରାଣ୍ଡ୍ ଓଡିଶା ! ରାଜଧାନୀର ନୃତ୍ୟ ଓ ସଂଗୀତର ଆସର ଜମାଇବ ବିଜେପି ସାଂସ୍କୃତିକ ସେଲ୍

35

କନକ ବ୍ୟୁରୋ : ମୋଦିଙ୍କ ପାଇଁ ମେହଫିଲ୍ । ଏୟାର ପୋର୍ଟରୁ ଜନତା ମୈଦାନ । ରାସ୍ତାର ତିନିଟି ସ୍ଥାନରେ ନୃତ୍ୟ ଓ ସଂଗୀତର ଆସର ଜମାଇବେ ବିଜେପି ସାଂସ୍କୃତିକ ସେଲର କଳାକାର । ପଥପ୍ରାନ୍ତରେ ଚଇତି ଘୋଡ଼ା, ଛଉ ନୃତ୍ୟଠାରୁ ଆରମ୍ଭ କରି ଓଡ଼ିଶାର ଲୋକପ୍ରିୟ ସଂଗୀତର ଧୁନ୍ ପରସିବେ ଓଡ଼ିଶାର ଖ୍ୟାତନାମା କଳାକାର ।

ବ୍ୟାରିକେଡ୍ କଡ଼ରେ ଅପେକ୍ଷାରତ ପ୍ରାୟ ୫୦ ହଜାର ଜନତାଙ୍କ ମନୋରଂଜନ ଜାରି ରଖିବେ ବିଜେପି ସାଂସ୍କୃତିକ ସେଲର କଳାକାରମାନେ । ଏୟାରପୋର୍ଟରୁ ଜନତା ମୈଦାନ ମଧ୍ୟରେ ତିନିଟି ସ୍ଥାନରେ ତିଆରି ହେବ ଅସ୍ଥାୟୀ ମଣ୍ଡପ । ଏୟାରପୋର୍ଟ, ରାଜଭବନ, ଜୟଦେବବିହାରରେ ହେବ ମଣ୍ଡପ । ଏହି ମଣ୍ଡପରେ ବିଜେପି ସାଂସ୍କୃତିକ ସେଲର କଳାକାର ସଦସ୍ୟମାନେ ନିଜ ନିଜର କଳା ପ୍ରଦର୍ଶନ କରିବେ ।

ମୋଦି ୧୫ ତାରିଖ ଅପରାହ୍ଣରେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ । ସିଧା ଯିବେ ଜାତୀୟ କାର୍ଯ୍ୟକାରିଣୀର ସଭାସ୍ଥଳ ଜନତା ମୈଦାନ । ବାଟରେ ଅପେକ୍ଷାରତ ହଜାର ହଜାର ଜନତାଙ୍କଠାରୁ ଶୁଭେଚ୍ଛା ଗ୍ରହଣ କରିବେ । ସାରା ଭାରତରେ ମୋଦିଙ୍କର ଯାଦୁ ଚାଲିବା ପରେ ଏବେ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି ଓଲିଉଡର କଳାକାର ।

ପୂର୍ବରୁ ବିଜେଡିରେ ଅନେକ କଳାକାର ସାମିଲ ହୋଇଥିବା ବେଳେ ଏବେ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି ଓଲିଉଡର ଅନେକ କଳାକାର । ଇଚ୍ଛିମଧ୍ୟରେ ଅଜିତ୍ ଦାସ, ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ହରିହର ମହାପାତ୍ର, ବସନ୍ତରାଜ ସାମଲ, ଭଗବାନ ବେହେରା, ପିଂଟୁ ନନ୍ଦଙ୍କ ଭଳି ଅନେକ କଳାକାର ବିଜେପିରେ ସାମିଲ ହେଲେଣି ।