ମୋଦିଙ୍କ ପ୍ରୟୋଗଶାଳା ଓଡିଶା ! ଗସ୍ତ ପୂର୍ବରୁ ବ୍ୟାନର, ପୋଷ୍ଟର ଓ ଥିମସଙ୍ଗ ରିଲିଜ କଲା ବିଜେପି

37

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜ୍ୟ ବିଜେପି ଦେଖାଇଲା ହିସାବ । ୟୁପିଏ ଅମଳରେ ଓଡିଶା କେତେ ପାଇଛି ଏବଂ ମୋଦି ସରକାର ସମୟରେ ରାଜ୍ୟକୁ କେତେ ଲାଭ ମିଳିଛି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରି ଆଜି ରାଜ୍ୟ ବିଜେପି ପକ୍ଷରୁ ହୋର୍ଡିଂ, ବ୍ୟାନର ଓ ଗୀତ ଜାରି କରାଯାଇଛି ।

ଗୋଟିଏ ପୋଷ୍ଟର ଦର୍ଶାଯାଇଛି ୧୪ ତମ ଅର୍ଥ କମିଶନ ସୁପାରିଶ ଲାଗୁ ହେବା ଯୋଗୁ ଓଡିଶାକୁ ମିଳିଛି ପ୍ରଚୁର ଲାଭ । କଂଗ୍ରେସ ଶାସନରେ ୨୦୧୧ ରୁ ୧୫ ମଧ୍ୟରେ ଓଡିଶାକୁ କେତେ ମିଳିଛି ଏବଂ ମୋଦି ସରକାର ଅମଳରେ ୨୦୧୪ରୁ ୨୦୧୭-୨୦୧୮ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ମିଳିଥିବା ଲାଭର ହିସାବ ଦେଖାଇଛି ଦଳ ।

ଅନ୍ୟ ଏକ ପୋଷ୍ଟରରେ ଦଳ ଦର୍ଶାଇଛି ଓଡିଶାରେ ଜାୟୀୟ ରାଜପଥର ବିକାଶର ଚିତ୍ର । ୧୦ ବର୍ଷ ୟୁପିଏ ଶାସନରେ କେତେ ହୋଇଛି ଏବଂ ମୋଦିଙ୍କ ୩ ବର୍ଷରେ କେତେ କିଲୋମିଟର ନିର୍ମାଣ ହୋଇଛି ।

ପୋଷ୍ଟରରେ ରେଳ ବଜେଟ୍ ଅର୍ଥ ମଂଜୁର କଥା ବି ଦଳ ଉଠାଇଛି । ୟୁପିଏ ସରକାରରେ ମିଳିଥିବା ଟଙ୍କା ଅନୁପାତରେ ମୋଦି ସରକାର ଓଡିଶାକୁ ପ୍ରଚୁର ଅର୍ଥ ଦେଇଥିବା ଦଳ ସ୍ପଷ୍ଟ କରିଛି । ମୋଦି ସରକାର ସମୟରେ ଓଡିଶାରେ କୋଷ୍ଟାଲ ହାଇୱେ ସ୍ପପ୍ନ ସାକାର ହୋଇଥିବା ଦଳ କହିଛି । ଦୀଘାରୁ ଗୋପାଳପୁରକୁ ଯୋଡିବ ୪୫୦ କିଲୋମିଟର ସଡକ ।

ସ୍ୱାଗତମ୍ ନରେନ୍ଦ୍ର ମୋଦି । ପୋଷ୍ଟରରେ ଦଳ ସ୍ପଷ୍ଟ କରିଛି ଗରୀବଙ୍କ କଲ୍ୟାଣ ପାଇଁ ଓଡିଶାକୁ ପ୍ରୟୋଗଶାଳା କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛି ରାଜ୍ୟ ବିଜେପି । ସେପଟେ ବିଜେଡି କହିଛି, ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟକ୍ରମରେ ଆସୁଛନ୍ତି । ଯଦି ସେ ପ୍ରଧାନମନ୍ତ୍ରୀ ଭାବରେ ଆସିଥାନ୍ତେ ତେବେ ଓଡିଶାକୁ କେନ୍ଦ୍ର ସରକାର କେତେ ଲାଭ ଦେଇଛନ୍ତି ସେନେଇ ପ୍ରଶ୍ନ ପଚାରିଥାନ୍ତା ଦଳ ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ନବରଙ୍ଗପୁରରେ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି । ଓଡିଆ ଘରେ ମାଣ୍ଡିଆ ଖାଇଛନ୍ତି । କହିଛନ୍ତି, ଓଡିଶାର ବିକାଶ ପାଇଁ କେନ୍ଦ୍ର ଟଂକା ଦେଉଛି ହେଲେ ରାଜ୍ୟ ସରକାର କାମରେ ଲଗାଇ ପାରୁନାହାଁନ୍ତି । ୧୭ବର୍ଷ ଶାସନ କାଳରେ ବିଜେଡି ଓଡ଼ିଶାକୁ ଆହୁରି ଗରିବ କରିଦେଇଛି ।