ବିଜେପୁର ଗୁଳିମାଡ ଘଟଣା ନେଇ ଥମୁନି ରାଜନୀତି ! ତଦନ୍ତ ନେଇ ଏସପିଙ୍କ ଆଡକୁ ବିଜେପିର ଆଙ୍ଗୁଳି ନିର୍ଦ୍ଦେଶ

20

କନକ ବ୍ୟୁରୋ : ବିଜେପୁର ଗୁଳିମାଡ ଘଟଣା ନେଇ ରାଜନୀତି ଥମିବାର ନା ଧରୁନି । ଗତକାଲି ବରଗଡ ଏସପି ଏହି ଘଟଣାରେ କୌଣସି ରାଜନୈତିକ ସଂପୃକ୍ତି ନାହିଁ ବୋଲି କହିବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେପି । ଗତକାଲି ୨ ଜଣଙ୍କୁ ବରଗଡ ପୋଲିସ ଗିରଫ କରିଥିବା ବେଳେ ଏସପି ବିଜେଡିର ଭାଷା କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା । ତଦନ୍ତ ନସରିଥିବା ବେଳେ କିପରି ଏସପି ଏପରି ମନ୍ତବ୍ୟ ଦେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ସହ ପୋଲିସ ବିଜେଡିର ହାତବାରିସି ସାଜି ରାଜ୍ୟରେ ଆତଙ୍କରାଜ ଚଳାଇଛି ବୋଲି ଅଭିଯୋଗ କରିଛି ବିଜେପି । ବିଜେପୁରବାସୀ କ୍ରମାଗତ ତିନିଥର ବିଜେଡିକୁ ପ୍ରତ୍ୟାଖ୍ୟାନ କରିଥିବା ବେଳେ ସେମାନେ ଜିତିବାକୁ ବିବ୍ରତ ବୋଲି କହିଛନ୍ତି ସଜ୍ଜନ ଶର୍ମା ।

ସେପଟେ ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ । ବିଜେପୁରରେ ଦଳ ପଛରେ ପଡିଯାଇଥିବାରୁ ଏପରି ଏକ ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି ବୋଲି ସେ କହିଛନ୍ତି । ସେମାନଙ୍କ ପାଖରେ ପ୍ରସଙ୍ଗ ନଥିବା ବେଳେ ସେମାନେ ଏଠାରେ ବସି ନାଟକ କରୁଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି । ଅନ୍ୟପଟେ ଗତକାଲି ବିଜେପୁର ଗୁଳିମାଡ଼ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସୋହେଲା ଅଂଚଳର ମହମ୍ମଦ ଅରଶାଦ ଓରଫ ରାଜା ଖାନ ଓ ସୁଶାନ୍ତ ଭୁୟେ । ସେମାନଙ୍କ ପାଖରୁ ଗୁଳିମାଡ ସମୟରେ ବ୍ୟବହୃତ ବଲେରୋ ଗାଡି ଓ ଦେଶୀ ପିସ୍ତଲ ଜବତ କରିଥିବା ପୁଲିସ କହିଛି ।

ସୂଚନାଯୋଗ୍ୟ ଦୁଇଦିନ ପୂର୍ବରୁ ବିଜେପୁରରେ ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତିଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା । ଉପନିର୍ବାଚନକୁ ନେଇ ରକ୍ତମୁଖା ହୋଇଥିବା ବିଜେଡି ମନୋରଂଜନଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଥିଲା ବିଜେପି । ଗୁଳିମାଡରେ କେହି ମୃତାହତ ହୋଇନଥିବାବେଳେ ଘର କବାଟ ଓ କାନ୍ଥରେ ୩ ରାଉଣ୍ଡ ଗୁଳି ବାଜିଥିଲା । ଏନେଇ ଥାନାରେ ଏତଲା ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ୨ଟି ଖୋକା ଜବତ କରି ଛାନବିନ୍ ଚଲାଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ରାତିରେ ଏକ ବୋଲେରୋରେ ୪-୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ତେବେ ବିଜେପି ଏହି ଗୁଳିକାଣ୍ଡ ପାଇଁ ସିଧାସଳଖ ବିଜେଡିକୁ ଦାୟୀ କରିଥିଲା ।