ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ନେଇ ଉଠିଲା ଦାବି : ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

25

କନକ ବ୍ୟୁରୋ : ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ଦାବି । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ ବିଜେପି । ୨୦୦୩ ମସିହାରୁ ବନ୍ଦେ ଉତ୍କଳ ଜନନୀକୁ ପ୍ରଦେଶ ସଂଗୀତ କରିବା ପାଇଁ ବିଭିନ୍ନ ବୈଠକ ବସି ଆସୁଛି କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ । ପ୍ରଦେଶ ସଂଗୀତ ଘୋଷଣା କରିବା ରାଜ୍ୟ ସରକାରଙ୍କ ହାତରେ ରହିଛି କିନ୍ତୁ ଗୋଟିଏ ଗେଜେଟ୍ ନୋଟିଫିକେସନ ପ୍ରକାଶ କରିବାକୁ ସକ୍ଷମ ହୋଇପାରିନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଅନ୍ୟପଟେ ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇ ଏନେଇ ସୁପାରିଶ କରାଯାଇଛି ବୋଲି ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି ।

ସେପଟେ ହକିକୁ ଜାତୀୟ କ୍ରୀଡା ଭାବେ ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର କ୍ରୀଡା ମନ୍ତ୍ରୀଙ୍କ ମନ୍ତବ୍ୟକୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ସମାଲୋଚନା କରିଛନ୍ତି । ଏଥିସହିତ କ୍ରୀଡାମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଅସଂଖ୍ୟ ହକି ଖେଳାଳିଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି ସେ କହିଛନ୍ତି । ସେପଟେ ବିଜେଡି ସାଂସଦ କଳିକେସ ନାରାୟଣ ସିଂଦେଓ ଏହି ଦାବିକୁ ଜୋରଦାର କରିବା ପାଇଁ ଆହ୍ୱାନ ଦେଇଥିବା ବେଳେ ବିଜେପି ନେତା ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।