ପିଙ୍କିଙ୍କ ପାଇଁ ପାର୍ଟି ଅଫିସରେ ପୁଣି ପଡିଲା ତାଲା । ଉତ୍ତମ ଦେଲେ ଅଲଟିମେଟମ, ଦିଗପହଣ୍ଡି ଟିକେଟର ପୁନଃ ବିଚାର କରାନଗଲେ ସ୍ୱାଧୀନ ଭାବେ ଲଢିବାକୁ ଦେଲେ ଚେତାବନୀ

2,123

କନକ ବ୍ୟୁରୋ : ଫିଲ୍ମ ଷ୍ଟାର ତଥା ବିଜେପିର ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ପିଙ୍କିଙ୍କ ପାଇଁ ପାର୍ଟି ଅଫିସରେ ପୁଣି ପଡିଲା ତାଲା । ଦିଗପହଣ୍ଡିରୁ ପିଙ୍କିଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ବିଜେପିରେ ଦେଖାଦେଇଛି ବିଦ୍ରୋହର ନିଆଁ । ଯେଉଁ ନିଆଁ ଏବେ ଭୁବନେଶ୍ୱର ପର୍ଯ୍ୟନ୍ତ ବ୍ୟାପିଛି । ପିଙ୍କିଙ୍କୁ ଟିକେଟ ମିଳିବା ପରେ ଦିଗପହଣ୍ଡି ପାଇଁ ଆଶାୟୀ ଥିବା ଉତ୍ତ ମ ପାଣିଗ୍ରାହୀ ଦଳ ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ଏପିରିକି ନିଜର ଅସନ୍ତୋଷ ଜଣାଇବା ପାଇଁ ବିଜେପି ପାର୍ଟି ଅଫିସରେ ତାଲା ପକାଇଛନ୍ତି ଉତ୍ତମ ପାଣିଗ୍ରାହୀ ଓ ତାଙ୍କର ସମର୍ଥକ ।

ଦିଗପହଣ୍ଡିରୁ ଲଢି ଆସୁଥିବା ଉତ୍ତମଙ୍କୁ ଟିକେଟ ଦିଆନଯିବା ପରେ ସେ ଦଳକୁ ସିଧାସଳଖ ଅଲଟିମେଟମ ଦେଇଛନ୍ତି । ଯଦି ଦଳ ତାଙ୍କ କଥା ବିଚାରକୁ ନ ନିଏ ତେବେ ସେ ଓ ତାଙ୍କର ସମର୍ଥକ ମାନେ ଦଳରୁ ଇସ୍ତଫା ଦେଇ ନେଇ ଖୋଲା ଚେତାବନୀ ଦେଇଛନ୍ତି । ନୂଆ ଚେହେରା ଭାବେ ପିଙ୍କିଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରିବା ସହ ଦଳୀୟ ଫୋରମରେ ଏନେଇ ନିଜର ଆଭିମୁଖ୍ୟ ରଖିବେ ବୋଲି କହିଛନ୍ତି ଉତ୍ତମ । ଏହାପର ମଧ୍ୟ ଯଦି ପିଙ୍କିଙ୍କ ପ୍ରାର୍ଥୀତ୍ୱକୁ ପରିବର୍ତ୍ତନ କରାନଯାଏ ତେବେ ସେ ସ୍ୱାଧୀନ ଭାବେ ଲଢିବାକୁ ମଧ୍ୟ କହିଛନ୍ତି ।

ଗୋଟିଏ ପଟେ ଅନ୍ୟ ଶିବିରରୁ ନେତା ଆଣି ଦଳ ବଳ ଗୋଟାଉଥିବା ବେଳେ ଏବେ ବିଦ୍ରୋହୀ ପ୍ରାର୍ଥୀ ବିଜେପି ପାଇଁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି । ବିଦ୍ରୋହୀ ମାନେ ଯଦି ଗୃହଭେଦୀ ବିଭୀଷଣ ଭୂମିକାରେ ଅବତୀର୍ଣ୍ଣ ହେବେ ତେବେ ବିଜେପି ପାଇଁ ଏହା ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିବ । ତେଣୁ ଏହି ବିଦ୍ରୋହୀଙ୍କୁ ଦଳ କିଭଳି ମନାଇବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।