ବିଜେପି ବିଧାୟକଙ୍କ ଉଗ୍ରରୂପ ! ସଭା ମଝିରେ ରାଗିଗଲେ ପ୍ରଦୀପ ପୁରୋହିତ, ମାଇକ୍ ଉଠାଇ ଫିଙ୍ଗିବାକୁ କଲେ ଉଦ୍ୟମ, ଦେଖନ୍ତୁ ଭିଡ଼ିଓ…

65

କନକ ବ୍ୟୁରୋ: ଜିଲ୍ଲାପରିଷଦ ବୈଠକରେ ବିଜେଡ଼ି-ବିଜେପି ମୁହାଁମୁହିଁ । ବରଗଡ଼ ଜିଲ୍ଲା ପରିଷଦର ୫ମ ବୈଠକ ମଝିରେ ହଠାତ୍ ରାଗିଗଲେ ବରଗଡ଼ ପଦ୍ମପୁର ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ସୁଚନା ମୁତାବକ ବରଗଡ଼ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବରଗଡ଼ ଡି.ଆର.ଡିଏ ସମ୍ମିଳନୀ କକ୍ଷରେ ବସିଥିଲା ୫ମ ଜିଲ୍ଲା ପରିଷଦ ବୈଠକ । ଏହି ବୈଠକରେ ବରଗଡ଼ ଅତାବିରା ନିର୍ବାଚନ ମଣ୍ଡଳୀର ବିଜେଡ଼ି ବିଧାୟିକା ତଥା ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ ଏବଂ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତଥିଲେ । ଏହାସହ ବିଜେପି ଓ ବିଜେଡ଼ିର ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ଯୋଗଦେଇଥିଲେ ।


ଜିଲ୍ଲାର ସମସ୍ୟା ଏବଂ ଉନ୍ନତି ପାଇଁ ସମସ୍ତଙ୍କ ସହିତ ଉଭୟ ଦଳର ଜିଲ୍ଲା ଅଧିକାରୀ ଆଲୋଚନା କରୁଥିବାବେଳେ ହଠାତ୍ କାହିଁକି ଉଗ୍ରରୂପ ଧାରଣ କଲେ ବିଜେପି ବିଧାୟକ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ବୈଠକରେ ପ୍ରଦୀପ ପୁରୋହିତଙ୍କ ଏଭଳି ଆଚରଣକୁ ହୁଏତ ସାଧାରଣରେ କେହି ଗ୍ରହଣ କରିପାରିବେ ନାହିଁ । କାରଣ କୌଣସି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଏତେ କ୍ରୋଧିତ ହୋଇଗଲେ କି ପାଖରେ ଥିବା ମାଇକ୍ରୋଫୋନକୁ ଉଠାଇ ମାରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ଭାଇରାଲ ହେବାରେ ଲାଗିଛି ।