କାର୍ଯ୍ୟରେ ଅବହେଳା କାରଣରୁ ସୁନ୍ଦରଗଡ଼ ସିଡିଏମଓ ନିଲମ୍ବନ ଘଟଣାକୁ ବିରୋଧ । ଆଜି ବିଜେପିର ସୁନ୍ଦରଗଡ ବନ୍ଦ ପାଳନ

ଫାଇବ୍-ଟି ସଚିବଙ୍କ ହସ୍ପିଟାଲ ପରିଦର୍ଶନ ପରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ

278

କନକ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ରୋଗୀମାନେ ଅଭିଯୋଗ ପରେ ସିଡିଏମଓଙ୍କ ନିଲମ୍ବନକୁ ସୁନ୍ଦରଗଡ ବିଜେପି ପକ୍ଷରୁ ବିରୋଧ କରାଯାଇଛି । ନିଷ୍ପତି ପ୍ରତ୍ୟାହାର ଦାବିରେ ସହରରେ ୬ଘଂଟିଆ ବନ୍ଦ ପାଳନ କରୁଛି ସୁନ୍ଦରଗଡ ଜିଲ୍ଲା ବିଜେପି । ବନ୍ଦ ଯୋଗୁଁ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ, ଗାଡି ମୋଟର ଚଳାଚଳ ବନ୍ଦ ରହିଛି । ତେବେ ସ୍କୁଲ, କଲେଜ ଓ ମେଡିକାଲକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି ।

ଭୁଲ ନିଷ୍ପତି କ୍ରମେ ସିଡିଏମଓଙ୍କୁ ନିଲମ୍ବନ କରାଯାଇଛି ବୋଲି ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟି । ଏହା ସହ ଗତକାଲି ସୁନ୍ଦରଗଡ ଯାଇଥିବା ଫାଇଭ୍-ଟି ସଚିବଙ୍କ ସମେତ ତିନି ଜଣଙ୍କ କୁଶ ପୂତଳିକା ଦାହ କରିଥିଲେ । ଫାଇଭ୍-ଟି ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଏନଆର୍ଏଚଏମ ନିର୍ଦେଶିକାଙ୍କ ଗସ୍ତବେଳେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା ନେଇ ରୋଗୀମାନେ ଅଭିଯୋଗ କରିଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସରକାର ଗତକାଲି ସିଡିଏମଓଙ୍କୁ ନିଲମ୍ବନ କରିଥିଲେ । ଜିଲ୍ଲାପାଳଙ୍କୁ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଥିଲେ ।